ରାଜ୍ୟ ଖାଦ୍ୟ ଆୟୋଗରେ ଅଧ୍ୟକ୍ଷ ପଦ ଖାଲି ନେଇ ମାମଲା: ହାଇକୋର୍ଟଙ୍କ ଜବାବ ତଲବ

ରାଜ୍ୟ ଖାଦ୍ୟ ଆୟୋଗରେ ଅଧ୍ୟକ୍ଷ ପଦ ଖାଲି ନେଇ ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ: ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗରେ ଅଧ୍ୟକ୍ଷ ଓ ସମସ୍ତ ୫ଟି ସଦସ୍ୟ ପଦ ଖାଲି ପଡିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜ‌ଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହିତ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ୟ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୬ ଅନୁସାରେ ୨୦୧୬, ମାର୍ଚ୍ଚ ୧୫ରେ ରାଜ୍ୟ ସରକାର ଖାଦ୍ୟ ଆୟୋଗ ଗଠନ କରିଥିଲେ। ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟଙ୍କୁ ନେଇ ଆୟୋଗ ଚାଲିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଆୟୋଗ ଆରମ୍ଭ ଦିନରୁ ତିନି ସଦସ୍ୟ ପଦ ଖାଲି ପଡ଼ିଥିବା ବେଳେ ୨୦୨୦, ସେପ୍ଟେମ୍ବର୍‌ ୧୩ରେ ଜଣେ ସଦସ୍ୟଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା। ଏହାପରେ ଦ୍ବିତୀୟ ସଦସ୍ୟଙ୍କ ୨୦୨୨, ସେପ୍ଟେମ୍ବର୍‌ ୧୨ରେ ଓ ଅଧ୍ୟକ୍ଷଙ୍କ ୨୦୨୩, ଏପ୍ରିଲ ୧୦‌ରେ କା‌ର୍ୟ୍ୟକାଳ ଶେଷ ହୋଇଥିଲା। ବର୍ତ୍ତମାନ ଆୟୋଗର ସମସ୍ତ ସଦସ୍ୟ ପଦ ଖାଲି ପଡିଛି। ଏହା ଖାଦ୍ୟ ସୁରକ୍ଷା ଆଇନର ଧାରା ୧୬ ଓ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ନିୟମାବଳୀ, ୨୦୧୬ର ଉଲ୍ଲଂଘନ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ଆବେଦନ ଦାୟର ହୋଇଛି। ଖାଦ୍ୟ ସୁରକ୍ଷା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ଅଧିକାର ସୁରକ୍ଷିତ କରିବା ଓ ଏ ସଂପର୍କିତ ଆଇନ କାର୍ୟ୍ୟକାରୀ ପ୍ରସଂଗ ସୁନିଶ୍ଚିତ କରିବା ଭଳି ଦାୟିତ୍ବ ଆୟୋଗଙ୍କ ରହିଛି। ପ୍ରତିମାସରେ ଅତି କମ୍‌ରେ ଅଧ୍ୟକ୍ଷଙ୍କ ସମେତ ତିନି ସଦସ୍ୟଙ୍କୁ ନେଇ ଆୟୋଗଙ୍କ ବୈଠକ ବସିବା କଥା। ଏଥି ସହିତ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଅଧ୍ୟକ୍ଷ ଓ ସଦସ୍ୟ ପଦ ଖାଲି ପଡ଼ିଥିବାରୁ ଯେଉଁ ଉଦ୍ଦେଶ୍ୟ ନେଇ ଆୟୋଗ ଗଠନ କରାଯାଇଥିଲା ତାହା ସାଧିତ ହୋଇ ପାରୁ ନାହିଁ। ନିର୍ଦ୍ଧାରିତ ସମୟସୀମା ଭିତରେ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ପଦ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ, ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।