କମିଟି ଗଠନ ପରେ ପଦାକୁ ଆସିଛି କଂଗ୍ରେସ କନ୍ଦଳ

କମିଟି ଗଠନ ପରେ ପଦାକୁ ଆସିଛି କଂଗ୍ରେସ କନ୍ଦଳ

ଭୁବନେଶ୍ବର: ରାଜ୍ୟ ପିସିସିର ମଙ୍ଗ ଧରିବାର ଦୀର୍ଘଦିନ ପରେ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଟିମ୍ ଗଠନ କରାଯାଇଛି। ସବୁ ବର୍ଗକୁ ଖୁସି କରିବା ଓ ଥଇଥାନ କରିବା ଉଦ୍ଦେଶ୍ୟରେ ଏକ ଜୁମ୍ବୋ ଟିମ୍ ଗଠନ ହୋଇଛି। ମାତ୍ର କମିଟି ଗଠନ ହେବାର ଦିନକ ପରେ ଦଳ ଭିତରେ ଥିବା ଅସନ୍ତୋଷ ପଦାକୁ ଆସିଛି। 
ବିଧାୟକ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି ଯେ ଦଳରେ ବରିଷ୍ଠ ଉପ-ସଭାପତି ଦାୟିତ୍ବ ଦିଆଯାଇଛି। ହେଲେ ଏହି କମିଟିରେ ରହିବି ନାହିଁ, ଇସ୍ତଫା ଦେଇଦେବି। ଖାଲି କିଏ ଖରାପ ଭାବିବ ବୋଲି ଏ ଯାଏ ଦେଇନାହିଁ। ଭାଲୁ ବାହିନୀପତି ନାଁ କାଫି। ତଥାପି ବରିଷ୍ଠ ଉପ-ସଭାପତି କମିଟିରେ ସାମିଲ କରିଥିବାରୁ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଏ.ଚେଲା କୁମାରଙ୍କୁ ଧନ୍ୟବାଦ। କୋରାପୁଟ ଓ ଜୟପୁର ଲୋକଙ୍କ ଆଶୀର୍ବାଦରେ ୪ଥର ବିଧାୟକ ହେଲିଣି। ମୁଁ କ’ଣ ପ୍ରଧାନମନ୍ତ୍ରୀ ହେବି କି ? ମୁଁ କୋଭିଡରୁ ଉଠିଛି। ନିଜ ନିର୍ବାଚନମଣ୍ଡଳୀରେ ବୁଲିବା କଷ୍ଟ ହେଉଛି। ତେଣୁ କୌଣସି ପଦପଦବିରେ ରହିବାର ଆବଶ୍ୟକତା ନାହିଁ। କମିଟିରେ ରହିଲେ ଯେଉଁଠୁ ଡାକରା ଆସିଲେ ଯିବାକୁ ପଡ଼ିବ। ପଦରେ ରହି କାମ ନ କଲେ ଅସୁନ୍ଦର ଲାଗିବ। ଗଠନ ହୋଇଥିବା କମିଟି ୨୦୨୪ରେ ନିଶ୍ଚିତ କଂଗ୍ରେସକୁ ଶାସନକୁ ଆଣିବ। ବଛାବଛା ଲୋକଙ୍କୁ ନେଇ କମିଟି ଗଠନ କରାଯାଇଛି। କଂଗ୍ରେସ ଶାସନକୁ ଫେରିବ। ବିଜୟ ପଟ୍ଟନାୟକ କିମ୍ବା ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ଜାଣିନି, ମାତ୍ର କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ ବୋଲ ସେ କହିଛନ୍ତି।

ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଦଳ ଯାହା ଦାୟିତ୍ବ ଦେଇଛି ତାକୁ ତୁଲାଇବି। ଜିଲ୍ଲା ସଭାପତିଙ୍କୁ ସାଧାରଣ ସଂପାଦକ ଦାୟିତ୍ବ ଦିଆଗଲା ସେଥିପାଇଁ ଖୁସି। ମାତ୍ର ଜିଲ୍ଲା ସଭାପତି ପଦରେ ପରିବର୍ତ୍ତନ କଲେ ଆଗକୁ ଦଳ ପାଇଁ ବଡ଼ ଅସୁବିଧା ହେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଦଳର ବରିଷ୍ଠ ନେତାଙ୍କ ଭିତରେ ଅସନ୍ତୋଷକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କମିଟି ଗଠନ କରାଯାଇଛି। ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯିବ।