ନେତାଙ୍କ ହାର୍ଟବିଟ୍ ବଢୁଛି : ମଇ ୨୩ରେ ଖୋଲିବ ଭାଗ୍ୟପେଡି

ନେତାଙ୍କ ହାର୍ଟବିଟ୍ ବଢୁଛି : ମଇ ୨୩ରେ ଖୋଲିବ ଭାଗ୍ୟପେଡି

ନେତାଙ୍କ ହାର୍ଟବିଟ୍ ବଢୁଛି : ମଇ ୨୩ରେ ଖୋଲିବ ଭାଗ୍ୟପେଡି
ପୁରୀ : ପୁରୀ ଲୋକସଭା ଅନ୍ତର୍ଗତ ପୁରୀ ଜିଲ୍ଲାର ୪ଟି ବିଧାନସଭାର ପ୍ରାର୍ଥୀମାନଙ୍କ ହାର୍ଟବିଟ ଦିନକୁ ଦିନ ବଢିବାରେ ଲାଗିଛି । ବିଜୟ ସମ୍ଭାବନାକୁ ଆଖିଆଗରେ ରଖି ଅନେକ ତର୍ଜମା କରୁଛନ୍ତି ରାଜନେତା । ପ୍ରତି ବୁଥର ଏଜେଂଟଙ୍କଠାରୁ କେତେ ଭୋଟିଂ ହେଲା, ସେଥିରୁ ସଂପୃକ୍ତ ପ୍ରାର୍ଥୀଙ୍କ କେତେ ଭୋଟ ମିଳିବ, ମହିଳା ଭୋଟ କେଉଁଆଡେ ଗଲା ତା’ର ଟିକିନିଖି ଖବର ରଖିବା ସହ ଭୋଟ ଗଣିତ ଖେଳରେ ମଜିଛନ୍ତି ପ୍ରାର୍ଥୀ । ବାରମ୍ବାର ହିସାବ କରୁଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ କେଉଁ ବୁଥରେ କେତେ ଭୋଟ ପାଇଛନ୍ତି ଓ କେତେ ଲିଡ୍ କରିବେ ତା’ର ଏକ ସମତୁଲ ଅଧ୍ୟୟନ ଜାରି ରହିଛି । କେତେକ ନେତା ବିଭିନ୍ନ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରତିଦିନ ମହାଦେବଙ୍କୁ ବେଲପତ୍ର ଚଢାଇବାରେ ବ୍ୟସ୍ତ ଅଛନ୍ତି । ଅନ୍ୟ କେତେକ ନେତା ଖ୍ୟାତିସଂପନ୍ନ ଜ୍ୟୋତିର୍ବିଦଙ୍କ ସହ ରାଶି ନକ୍ଷତ୍ର ଓ ହସ୍ତରେଖା ଦେଖାଇ ଫଳାଫଳ ସଂପର୍କରେ ବୁଝୁଛନ୍ତି । ୨୦୧୪ ନିର୍ବାଚନରେ କେଉଁ ପ୍ରାର୍ଥୀ କେତେ ଦଳୀୟ ଭୋଟ ପାଇଥିଲେ ଓ ଏବେ କେତେ ପାଇବେ ତା’ର ଏକ ତୁଳନାତ୍ମକ ତର୍ଜମା ଚଳାଇଛନ୍ତି । ନେତାଙ୍କ ଭାଗ୍ୟ ସିଲ୍ ହୋଇ ରହିଥିବା ଇଭିଏମ ଏବେ ତାଳବଣିଆ କେନ୍ଦ୍ରୀୟ ବିଦ୍ୟାଳୟ ଷ୍ଟ୍ରଙ୍ଗ୍ ରୁମରେ ରହିଛି । କେତେକ ଇଭିଏମ୍ ସିଲ୍ ହୋଇନଥିବାରୁ ଜିଲ୍ଲାପାଳ ସେଗୁଡିକୁ ଯାଂଚ୍ କରି ସିଲ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରେ ଟପ୍ ଟୁ ଟପ୍ ଲଢେଇ ହୋଇଥିବାବେଳେ ଦୁଇଜଣ ନେତାଙ୍କ ହାର୍ଟବିଟ ଅପଡାଉନ ହେଉଛି । ସେଠାରେ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡିର ସଂଜୟ କୁମାର ଦାସବର୍ମାଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଥିବାରୁ ହିସାବ ବରାବର ରହୁଛି । ଧର୍ମ ସଙ୍କଟରେ ରାଜନେତାମାନେ ପଡିଥିବାବେଳେ କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ତାକୁ ନେଇ ଏବେ ଚିନ୍ତାରେ ନେତା ଓ ସମର୍ଥକ । ବ୍ରହ୍ମଗିରିରେ ଅଧିକାଂଶ ବୁଥରେ ଭୋଟରମାନେ ଭୋଟ ଦେଇଥିବାବେଳେ ଫଳାଫଳକୁ ନେଇ ସନ୍ଦେହ ଜାତ ହୋଇଛି । ଗତଥର ଲୁଲୁବାବୁ ଅଧିକ ଭୋଟ ପାଇଥିବାବେଳେ କିପରି ଅନ୍ୟଦଳ ବିଜୟ ଲାଭ କଲା ତାକୁ ନେଇ ଭୋଟରଙ୍କ ରାଗ ରହିଥିଲା । ଏଥର ସୁଝାଇଛନ୍ତି ବୋଲି କହୁଥିବାବେଳେ ମେସିନ କ’ଣ କହୁଛି ତାହା ଆସନ୍ତା ମଇ ୨୩ ତାରିଖରେ ଜଣାପଡିବ । ସେହିପରି ପୁରୀ ନିର୍ବାଚନ ମଣ୍ଡଳୀରେ ମହେଶ୍ୱର ଓ ଜୟନ୍ତଙ୍କ ମଧ୍ୟରେ ଘମାଘୋଟ ଟକ୍କର ଚାଲିଥିଲା । କେତେ ଭୋଟ ଶଙ୍ଖକୁ ଯାଇଛି ଓ କେତେ ଫୁଲକୁ ଯାଇଛି ତାହା ଗଣତି ବେଳେ ଜଣାପଡିବ । ତଥାପି ଭାରତ ପାକିସ୍ତାନ କ୍ରିକେଟ ଖେଳଭଳି ଲଢେଇ ଜୋରଦାର ହୋଇଛି । ଶେଷ ଓଭରରେ କିଏ ଜିତିବ ତାହା କେବଳ ସମୟ କହିବ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ଉମାକାନ୍ତ ସାମନ୍ତରାୟ ଓ ବିଜେପିର ଓମପ୍ରକାଶ ମିଶ୍ରଙ୍କ ମଧ୍ୟରେ ସିଧାସଳଖ ଟକ୍କର ହୋଇଛି । ଭାଗ୍ୟ ଯାହା ସହିତ ରହିବ ସେ ହିଁ ଜିତିବ । ପିପିଲିରେ ମହାରଥୀଙ୍କ ଗିରଫ ପରେ ପରିସ୍ଥିତି ଏକ ଭିନ୍ନମୋଡ ନେଇଥିଲା । ଯେତେଦୂର ସମ୍ଭବ ମହାରଥୀଙ୍କୁ ସିମ୍ପାଥି (ଅନୁକମ୍ପା) ଭୋଟ ମିଳିବାର ସମ୍ଭାବନା ରହିଛି । ବିଜେପିର ଆଶ୍ରିତ ପଟ୍ଟନାୟକ ମହାରଥୀଙ୍କୁ ଫୁଲ ଦମରେ ଟକ୍କର ଦେଉଥିବାବେଳେ କଂଗ୍ରେସର ଅଜିତ ମଙ୍ଗରାଜ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ ହାତେଇବାର ସମ୍ଭାବନା ରହିଛି । ନେତାଙ୍କୁ ଏବେ ରାତିରେ ନିଦ ହେଉନାହିଁ । ଟିଭି ସମୀକ୍ଷା, ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଓ ଖବର କାଗଜ ତନତନ କରି ପଢିବାରେ ବ୍ୟସ୍ତ ରହୁଛନ୍ତି । ସମସ୍ତେ ଏବେ ମଇ ୨୩ରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଭୋଟ ଗଣତିର ଫଳାଫଳକୁ ବେଶ୍ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି ।