୪ ଦିନ ଚାଲିବା ପରେ ଶେଷ ହେଲା ବିଧାନସଭା

ଭୁବନେଶ୍ବର : ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍ ଶୀତ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଶେଷ କରାଯାଇଛି। ନଭେମ୍ବର ୨୧ ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବିଧାନସଭା ଚାଲିବାର ଥିଲା। ୩୦ ଟି କାର୍ୟ୍ୟ ଦିବସ ଥିବା ଚଳିତ ଶୀତ ଅଧିବେଶନ ୪ ଦିନ ଚାଲିବା ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଶୀତ ଅଧିବେଶନଟି ନଭେମ୍ବର ୨୧ ରୁ ଡିସେମ୍ବର ୩୦ ଯାଏଁ ଚାଲିବାର ଥିଲେ ହେଁ ଗୃହରେ ଆଉ କୌଣସି ସରକାରୀ କାର୍ୟ୍ୟ ନ ଥିବା ହେତୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୃହରେ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବକୁ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ସମର୍ଥନ କରିଥିଲେ। କାରଣ ଏହି ଅଧିବେଶନ ଚାରି ଦିନ ସୂରିଖୁରୁରେ ଚାଲିଥିବା ବେଳେ ଆଉ କୌଣସି କାର୍ୟ୍ୟ ବାକି ନାହିଁ। ଚଳିତ ଅଧିବେଶନରେ ଗୋଟିଏ ବିଲ୍ ପାସ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି।
ଅନ୍ୟପଟେ ଗୃହ କାର୍ୟ୍ୟରେ ସହଯୋଗ କରିଥିବାରୁ ବିରୋଧୀ ଦଳ ଓ ସରକାରୀ ଦଳ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀ ଦଳ ଓ ସରକାରୀ ଦଳ ଗୃହ ଚଳାଇବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତେ ଅଂଶଗ୍ରହଣ କରିଥିଲେ। ଏଥିସହ ବିଧାନସଭା କର୍ମଚାରୀଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।