୨୧ରେ ମୋକିମ୍‌ଙ୍କ ଶକ୍ତି ପ୍ରଦର୍ଶନ

୨୧ରେ ମୋକିମ୍‌ଙ୍କ ଶକ୍ତି ପ୍ରଦର୍ଶନ

କଟକ: କଂଗ୍ରେସ ପକ୍ଷରୁ ବିଧାୟକ ଇଂ ମହମ୍ମଦ ମୋକିମ୍‌ଙ୍କ ଉପରେ ଜାରି ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି ଜୋର ଧରିଛି । ଏହାକୁ ନେଇ ବାରବାଟୀ-କଟକ ବିଧାନସଭା ନିର୍ବାଚନୀମଣ୍ଡଳୀ ସମେତ ଚୌଦ୍ୱାର-କଟକ, କଟକ ସଦର ଆଦି ବିଭିନ୍ନ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀ ଏବଂ ସମର୍ଥକଙ୍କ ମହଲରେ ଅସନ୍ତୋଷ ଜାରି ରହିଛି । ତେବେ ଏହାର ପ୍ରତିବାଦ ପାଇଁ କଟକ ମହାନଗର ନିଗମର ସମସ୍ତ ୫୯ଟି ଯାକ ୱାର୍ଡର କଂଗ୍ରେସ କର୍ମୀଙ୍କ ସହ କିଛି ନେତୃମଣ୍ଡଳୀ ଭୁବନେଶ୍ୱର ଯିବେ । ଏଥିରେ ଦଳର ୮ଜଣ ଯାକ କର୍ପୋରେଟ୍‌ର ମଧ୍ୟ ସାମିଲ୍‌ ହେବେ ବୋଲି ମୋକିମ୍‌ଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ପିସିସି କାର୍ୟ୍ୟାଳୟ ସମ୍ମୁଖରେ ଦଳୀୟ ନେତା ଏବଂ ଲୋକ ପ୍ରତିନିଧିମାନେ ପ୍ରତିବାଦ କରିବେ । ରାଜନୈତିକ ଭାଷାରେ କହିବାକୁ ଗଲେ କର୍ମୀ, ନିର୍ବାଚିତ ଲୋକ ପ୍ରତିନିଧି ଏବଂ ନେତୃସ୍ଥାନୀୟ ଲୋକଙ୍କୁ ନେଇ ମୋକିମ୍‌ ପିସିସି କାର୍ୟ୍ୟାଳୟରେ ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ତାକତ ଦେଖାଇବେ ।
ମୋକିମ୍‌ଙ୍କୁ ନିଲମ୍ବନ କରିବା ଦିନଠାରୁ ତାଙ୍କ କ୍ୟାମ୍ପ୍‌ ଏବେ ଅଧିକ ଚଳଚଞ୍ଚଳ ହୋଇପଡ଼ିଛି । କଂଗ୍ରେସ ଦଳରେ କାହାର ସ୍ୱେଚ୍ଛାଚାରିତାକୁ ଗ୍ରହଣ କରିହେବ ନାହିଁ ବୋଲି ମୋକିମ୍‌ଙ୍କ ଗୋଷ୍ଠୀ କହିବୁଲୁଛନ୍ତି । ଆସନ୍ତା ୨୧ ତାରିଖ ପାଇଁ ମୋକିମ୍‌ଙ୍କ କ୍ୟାମ୍ପ୍‌ ତାର ପ୍ରସ୍ତୁତି ଚଳାଇଛି । ପିସିସିରେ ପ୍ରତିବାଦ ଜଣାଇ ଫେରିବା ପରେ ୨୨ ତାରିଖ ଦିନ କଟକ ସହରରେ ମଧ୍ୟ ଜୋରଦାର ପ୍ରତିବାଦ କରାଯିବ । କଟକ- ଭୁବନେଶ୍ୱରରେ ଏପରି ପ୍ରତିବାଦ କରାଯିବ ଯେ, ଶରତ ଏବଂ ତାଙ୍କ କୁଚକ୍ରୀ ସହଯୋଗୀମାନଙ୍କ ନିଦ ହଜି ଯିବ ବୋଲି ମୋକିମ୍‌ଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି ।