ବିଜେପି ଏକାକୀ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଲଢ଼ିବ
ଭୁବନେଶ୍ୱର: ବିଜେଡି ସହ କୌଣସି ମେଂଟ ହେବ ନାହିଁ ଓ ଓଡ଼ିଶାରେ ବିଜେପି ସବୁ ଆସନରେ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି । ଏହାସହିତ ଆଗୁଆ ନିର୍ବାଚନ ଘୋଷଣା ହେଲେ ବି ଦଳ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛି। ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଚାଣଜ୍ୟ ଅମିତ୍ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଭେଟଘାଟ ପରେ ବିଜେଡି ଓ ବିଜେପି ମଧ୍ୟରେ ଆଗାମୀ ନିର୍ବାଚନରେ ମେଂଟ ହୋଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି ।
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ କୌଣସି ମେଂଟ କରିବ ନାହିଁ ଓ ଏକାକୀ ଲଢ଼ି ରାଜ୍ୟରେ ସରକାର ଗଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି । ସେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ସମ୍ଭାବନାକୁ ଖାରଜ କରି କହିଛନ୍ତି ଯେ, ଆମେ ନିଜ ଦମରେ ରାଜ୍ୟରେ ସରକାର ଗଢ଼ିବାରେ ସକ୍ଷମ ହେବୁ ।
ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଓଡ଼ିଶାରେ କୌଣସି ମେଂଟ ହେବନି । ବିଜେପି ଏକାକୀ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଲଢ଼ିବ । ଆଗୁଆ ନିର୍ବାଚନ ଘୋଷଣା ହେଲେ ଦଳ ସେଥିପାଇଁ ପ୍ରସ୍ତୁତ ଅଛି । ବିଜେପି ଏକ ଅନ୍ତରୀଣ ସର୍ଭେ କରିଥିଲା । ଏହି ଅନ୍ତରୀଣ ସର୍ଭେରେ ଜୁଲାଇ ମାସରେ ବିଜେପି ରାଜ୍ୟରେ ଆଗରେ ଥିଲା । ଅଗଷ୍ଟରେ ବି ଆଗରେ ରହିବୁ । ରାଜ୍ୟବାସୀଙ୍କ ମତ ଆମ ସପକ୍ଷରେ ଅଛି । ଦଳ ମଧ୍ୟ ନିଜର ନିର୍ବାଚନୀ ରଣନୀତି କରିଛି । ସମସ୍ତେ ପରିଶ୍ରମ କରିବୁ । ଅପ୍ରତ୍ୟାଶିତ ସିଟ୍ ମିଳିବ ଓ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି ।