ମୁଁ ମରକ୍କୋ ଲୋକଙ୍କ ସହ ଅଛି: ମୋଦି
ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏଥିରେ ୨୯୬ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ସେହିପରି ଭୂମିକମ୍ପରେ ବଡ଼ ବଡ଼ କୋଠା ଭୁଶୁଡ଼ି ପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ନେଇ ଆଶଙ୍କା ରହିଛି ।
ଭୂକମ୍ପର ଗଭୀରତା ୧୮.୫ କିଲୋମିଟର ରେକର୍ଡ କରାଯାଇଛି । ଭାରତୀୟ ସମୟ ଭୋର ୩ଟା ୪୧ ମିନିଟ ସମୟରେ ଭୂକମ୍ପ ଝଟକା ଅନୂଭୁତ ହୋଇଥିଲା । ଏହାପରେ ଭୟରେ ସମସ୍ତ ଘରୁ ବାହାରି ଦୌଡିବାକୁ ଲାଗିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ପଶ୍ଚିମ ମାର୍କେଶର ୭୦ କିଲୋମିଟର ଦୂରରେ ଅବସ୍ଥିତ । ଭୂକମ୍ପର ଅକ୍ଷାଂଶ ୩୧.୧୧୦ ଏବଂ ଦ୍ରାଘିମା ୮.୪୪୦ ରହିଛି । ଏନେଇ ୟୁନାଇଟେଡ ଷ୍ଟେଟ୍ସ ଜେଗ୍ରୋଫିକାଲ ସର୍ଭେ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ମରକ୍କୋରେ ଭୂକମ୍ପ ଖବର ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ଟ୍ବିଟ କରି ମୋଦି କହିଛନ୍ତି ଯେ, ମରକ୍କୋରେ ଭୂକମ୍ପ ହେବା ପରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ଦୁଃଖଦ ସମୟରେ ମୁଁ ମରକ୍କୋ ଲୋକଙ୍କ ସହ ଅଛି । ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କୁ ମୋର ସମବେଦନା ଓ ଆହତଙ୍କ ଆଶୁଆରୋଗ୍ୟ ମୁଁ କାମନା କରୁଛି । ଏଦି ବିପଦ ସମୟରେ ଭାରତ ମରକ୍କୋକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ।




admin 