୩୧ଜଣ ନିଖୋଜ ଅଛନ୍ତି କହିଲେ ମମତା
ଭୁବନେଶ୍ୱର: କଟକ ଏସସିବିରେ ଆହତଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିବା ଅନୁଯାୟୀ, ୧୦୩ଜଣ ଯାତ୍ରୀଙ୍କର ମୃତଦେହ ଚିହ୍ନଟ ହୋଇସାରିଛି ଏବଂ ୯୭ଜଣ ଏଯାବତ୍ ବିଭିନ୍ନ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସବୁଠାରୁ ଅଶ୍ଚର୍ଯ୍ୟଚକିତ କଥା ହେଉଛି ଯେ, ୩୧ଜଣ ଯାତ୍ରୀ ଏବେ ବି ନିଖୋଜ ଅଛନ୍ତି । ଏହାସହିତ ଏପର୍ଯ୍ୟନ୍ତ ୮୭ ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି । ମମତାଙ୍କ କହିବା ଅନୁଯାୟୀ, ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବରେ କାର୍ଯ୍ୟକରୁଛନ୍ତି । ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଛି, ସତ ସମସ୍ତଙ୍କ ସାମ୍ନାକୁ ଆସିବା ଉଚିତ୍ ।
ମିଳିଥିବା ସୂଚନା ଅନୁଯାୟୀ, ମମତାଙ୍କ ସହିତ ଏକ ଟିମ୍ ମଧ୍ୟ କଟକ ଏସସିବି ମେଡ଼ିକାଲରେ ଆସିଛି । ସେହି ଟିମ୍ ଭୁବନେଶ୍ୱରକୁ ଯାଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସାର ଅନୁଧ୍ୟାନ କରିବ । ପଶ୍ଚିମବଙ୍ଗର ଯେଉଁ ଯାତ୍ରୀଙ୍କ ମୃତ୍ୟୁ ହୋଇଛି, ଗତକାଲି ହାୱାଡାରେ ସେମାନଙ୍କର ମୃତଦେହ ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ମମତା ବାନାର୍ଜୀ ।
ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ । ବୋଲି ମମତା କହିଥିଲେ । ଏହା ସହିତ ମୃତକଙ୍କ ପରିବାରର ଜଣକୁ ହୋମଗାର୍ଡ ଭାବେ ଚାକିରି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ । ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ ବୋଲି ଦିଦି କହିଛନ୍ତି ।




admin 