କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ନରେନ୍ଦ୍ର ମୋଦୀ ବିଷଧର ସାପ, ସୋନିଆ ଗାନ୍ଧି ବିଷକନ୍ୟା
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ସରଗରମ ପ୍ରଚାର ଚାଲିଥିବା ବେଳେ ବିଭିନ୍ନ ଦଳର ନେତାମାନେ ପରସ୍ପର ବିରୋଧରେ ଗୋଟିଏ ପରେ ଗୋଟିଏ ଆପତ୍ତିଜନକ ବୟାନ ଦେଇଚାଲିଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଷଧର ସାପ କହିଥିବା ବେଳେ ଆଜି କର୍ଣ୍ଣାଟକ ବିଜେପି ବିଧାୟକ ବସନଗୌଡ଼ା ପାଟିଲ ୟତନଲ ଏହାର ଜବାବରେ ବିଷୋଦ୍ଗାର କରିଛନ୍ତି। ବସନଗୌଡ଼ା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ‘ବିଷକନ୍ୟା’ କହିଛନ୍ତି।
କୋପ୍ପଲରେ ଏକ ନିର୍ବାଚନ ରୢାଲିରେ ବସନଗୌଡ଼ା କହିଛନ୍ତି, ସମଗ୍ର ବିଶ୍ବ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଉଛି। ଥରେ ଆମେରିକା ମୋଦୀଙ୍କୁ ଭିସା ଦେବାକୁ ମନା କରିଦେଇଥିଲା। କିନ୍ତୁ ପରେ ଏହା ରେଡ୍ କାର୍ପେଟ୍ ବିଛାଇ ମୋଦୀଙ୍କୁ ସ୍ବାଗତ କରିଛି। ଏବେ କଂଗ୍ରେସ ମୋଦୀଙ୍କୁ ବିଷଧର ସାପ ସହ ତୁଳନା କରୁଛି। ତେବେ ସୋନିଆ କ’ଣ ବିଷକନ୍ୟା ? ସେ ଚୀନ୍ ଏବଂ ପାକିସ୍ତାନ ସହ ସେମାନଙ୍କ ଏଜେଣ୍ଟ୍ ଭାବେ କାମ କରିଛନ୍ତି ବୋଲି ବନସଗୌଡ଼ା କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲଗାଇବାପାଇଁ ଆଜି କଂଗ୍ରେସ ନିର୍ବାଚନ କମିସନ୍ (ଇସି)ଙ୍କୁ ଅନୁରୋଧ କରିଛି। ଯୋଗୀ ଏବଂ ଶାହ କର୍ଣ୍ଣାଟକରେ ପ୍ରଚାର ସମୟରେ ମିଥ୍ୟା ଏବଂ ସାମ୍ପ୍ରଦାୟିକ ଟିପ୍ପଣୀ ଦେଇଥିବାରୁ ସେମାନଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲଗାଇବାପାଇଁ କଂଗ୍ରେସ ଇସିଙ୍କୁ ଅନୁରୋଧ କରିଛି।




admin 