ଝାରସୁଗୁଡ଼ା ଉପ ନିର୍ବାଚନ : ୧୩ରେ ହେବ ଭାଗ୍ୟ ନିର୍ଦ୍ଧାରଣ

ଝାରସୁଗୁଡ଼ା ଉପ ନିର୍ବାଚନ : ୧୩ରେ ହେବ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ବର :  ଝାରସୁଗୁଡ଼ା ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ମତଦାନ କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ପ୍ରାୟତଃ ସବୁ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା‌େ‌ର ମତଦାନ ଶେଷ ହୋଇଛି। ଅପରାହ୍ଣ ୫ଟା ସୁଦ୍ଧା ମତଦାନ ହାର ମୋଟ ୬୮.୧୨ ପ୍ରତିଶତ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ୭୫.୬ପ୍ରତିଶତ ରହିଥିବା ଜଣାପଡ଼ିଛି। ୯ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ବନ୍ଦ ହୋଇଛି। ଆସନ୍ତା ୧୩ରେ ଭୋଟ ଗଣତି ହେବ। ଏହି ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୨୧ହଜାର ୭୧୯। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୧ ହଜାର ୩୫ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି।

ମୋଟ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ୬୧୯ଜଣଙ୍କ ମଧ୍ୟରୁ ୭୪ ହଜାର ୮ଜଣ ଭୋଟ ଦେଇଥିଲେ। ମୋଟ ମହିଳା ଭୋଟର ୧ ଲକ୍ଷ ୧୧ ହଜାର ୩୭ଜଣଙ୍କ ମଧ୍ୟରୁ ୭୭ହଜାର ୨୦ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ଅନ୍ୟାନ୍ୟ ୭ଜଣ ଭୋଟର ମତଦାନ ସାବ୍ୟସ୍ତ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ମତଦାନ ହାର ଅଧିକ ରହିଥିଲା। ଭୋଟ ଗ୍ରହଣର ଶେଷ ସମୟ ସନ୍ଧ୍ୟା ୬ଟା ପରେ କିଛି ବୁଥ୍‌ରେ ୩ ହଜାର ୫୦୦ ଭୋଟର ମତଦାନ କରିବା ପାଇଁ କାଗଜ ଟୋକନ ଧରି ଧାଡ଼ିରେ ଠିଆ ହୋଇଥିଲେ ବୋଲି ସିଇଓ ଶ୍ରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୁଥ୍‌ ନମ୍ବର ୪୯ ଓ ୫୦ରେ ଉତ୍ତେଜନା ଦେଖାଦେଇଥିଲା। ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଏହାପୂର୍ବରୁ ୨୩୬ ନମ୍ବର ବୁଥ୍‌ରେ ଭୋଟର ଜଣଙ୍କ ନିଜର ଅସୁସ୍ଥ ମା’ଙ୍କୁ ସାଙ୍ଗରେ ନେଇ ମତଦାନ କରିବାକୁ ଚାହୁଁଥିଲେ। ଏହାକୁ ନେଇ ପୁଲିସ ସହ ତାଙ୍କର ବଚସା ହୋଇଥିଲା। ୬୯ନମ୍ବର ବୁଥ୍‌ରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ ଏବଂ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ସିଇଓ ଶ୍ରୀ ଧଳ କହିଛନ୍ତି, ବୁଥ୍‌ ବାହାରେ କାଁ ଭାଁ ବିଶୃଙ୍ଖଳା ହୋଇଥିବାରୁ ମତଦାନରେ କୌଣସି ପ୍ରଭାବ ପଡ଼ିନାହିଁ।