ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ପୁରୁଷ ଭୋଟରଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଛନ୍ତି । ମୋଟ୍ ୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରୁ ଜାରି ସୂଚନା ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିଥିଲା । ତେବେ କେତେକ ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁ ମତଦାନ ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ଜାରି ରହିଥିଲା । ସନ୍ଧ୍ୟା ୭ଟା ସୁଦ୍ଧା ମତଦାନ ହାର ୭୫.୬୦% ଥିବାବେଳେ ଆଉ ୫ଟି ବୁଥରେ ମତଦାନ ଜାରି ରହିଥିବା ଜଣାପଡ଼ିଛି । ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୮.୧୨%, ୩ଟା ସୁଦ୍ଧା ୫୫.୨୦% ରହିଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ହୋଇଛି । ମୋଟ ୨୫୩ଟି ବୁଥରେ ୧୮୧୪ଜଣ ପୁଲିସ କର୍ମୀ ଓ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ୨୬ଟି ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଥିଲା । ୧୧୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଥିଲା । ସମସ୍ତ ବୁଥରେ ପ୍ରଥମଥର ପାଇଁ ୱେବକାଷ୍ଟିଂ ହୋଇଥିଲା । ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ତାରିଖରେ ଏହି ଭୋଟ ଗଣତି ହେବ ।




admin 