୬ ହଜାରରୁ ଅଧିକ ଅଧିକାରୀ ପଦବୀ ଖାଲି ସେନାରେ; ନୌସେନା ଓ ବାୟୁସେନାରେ ବି ଫାଙ୍କା

ନୂଆଦିଲ୍ଲୀ: ଭାରତୀୟ ସେନାରେ ଛଅ ହଜାରରୁ ଅଧିକ ଅଧିକାରୀ ପଦବୀ ଖାଲି ଅଛି। କେବଳ ଏତିକି ନୁହେଁ, ନୌସେନା ଓ ବାୟୁସେନାରେ ମଧ୍ୟ ବହୁ ସଂଖ୍ୟକ ପଦବୀ ଖାଲି ପଡ଼ିଛି। କେବଳ ଅଧିକାରୀ ନୁହଁନ୍ତି, ଏହି ତିନୋଟି ସେବାରେ ମେଡିକାଲ କର୍ମଚାରୀଙ୍କ ମଧ୍ୟ ହଜାରେରୁ ଅଧିକ ପଦବୀ ଖାଲି ରହିଛି।
ସଂସଦରେ କେନ୍ଦ୍ର ସରକାର ଏହି ସମସ୍ତ ସୂଚନା ଦେଇଛନ୍ତି। ଲୋକସଭାରେ ସରକାର କହିଛନ୍ତି ଯେ ଭାରତୀୟ ସେନାରେ ମେଜର ଓ କ୍ୟାପଟେନ ପଦବୀରେ ୬ ହଜାରରୁ ଅଧିକ ପଦବୀ ଖାଲି ଅଛି। ମନ୍ତ୍ରୀ ଅଜୟ ଭଟ୍ଟ ଲୋକସଭାରେ କହିଛନ୍ତି ଯେ, ସେନାରେ ୨୦୦୦ ରୁ ଅଧିକ ମେଜର ଓ ୪୫୦୦ କ୍ୟାପଟେନ ପଦ ଖାଲି ଅଛି। ସେହିଭଳି ଲେଫ୍ଟନାଣ୍ଟ କମାଣ୍ଡରଙ୍କ ୨୬୦୦ ରୁ ଅଧିକ ପଦବୀ ନୌସେନାରେ ଖାଲି ପଡିଛି। ଏଥି ସହିତ ବାୟୁସେନାରେ ୮୦୦ ରୁ ଅଧିକ ସ୍କୁଆଡ୍ରୋନ୍ ଲିଡର ଓ ୯୦୦ ଲେଫ୍ଟନାଣ୍ଟ ପଦବୀ ଖାଲି ଅଛି।
ହଜାର ହଜାର ଖାଲି ପଦବୀ ପାଇଁ ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଦୁଇଟି କାରଣ ଦର୍ଶାଇଛନ୍ତି। ପ୍ରଥମ କାରଣ ହେଉଛି କୋଭିଡ ମହାମାରୀ ହେତୁ ନିଯୁକ୍ତି ହୋଇନଥିଲା ଏବଂ ଦ୍ୱିତୀୟ କାରଣ ହେଉଛି ସର୍ଟ ସର୍ଭିସ କମିଶନରେ କମ୍ ପ୍ରବେଶ ଥିଲା। ସର୍ଟ ସର୍ଭିସ କମିଶନ ଅଧୀନରେ ଯେକୌଣସି ବ୍ୟକ୍ତି ସର୍ବାଧିକ ୧୪ ବର୍ଷ ସେନାରେ ଚାକିରୀ କରିପାରିବେ।