ଶ୍ରଦ୍ଧାଳୁଙ୍କ ଉପରେ ଗୋରୁଗାଈ ଚଢ଼ାଯିବାର ଏକ ନିଆରା ପରମ୍ପରା

ଆମ ସଂସ୍କୃତିରେ ଗୋମାତାକୁ ଯତ୍ନ କରିବା ସହ ପୂଜା କରିବାର ବିଧି ରହିଛି। ତେବେ ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ତଳେ ଗୁହାରିଆ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ଉପରେ ଗୋରୁଗାଈ ଚଢ଼ାଯିବାର ଏକ ନିଆରା ପରମ୍ପରା ପ୍ରଚଳିତ। ଉଜ୍ଜୟିନୀ ଜିଲ୍ଲାର ସଦର ମହକୁମାଠାରୁ ୭୫ କି.ମି. ଦୂର ତଥା ବଡ଼ନଗର ତହସିଲ ଅନ୍ତର୍ଗତ ଭିଡ଼ାବଦ ଗାଁରେ ଦୀପାବଳି ପର୍ବର ପରଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କଲେ ମନସ୍କାମନା ପୂରଣ ହେବ ବୋଲି ଲୋକଙ୍କର ବିଶ୍ବାସ ରହିଛି।
ପାରମ୍ପରିକ ରୀତିନୀତି ଅନୁଯାୟୀ, ଦୀପାବଳିର ପାଞ୍ଚ ଦିନ ଆଗରୁ ଶ୍ରଦ୍ଧାଳୁମାନେ ଉପବାସ କରିଥିଲେ। ଦୀପାବଳି ପୂର୍ବଦିନ ସେମାନେ ଗାଁର ମନ୍ଦିରରେ ସାରା ରାତି କଟାଇ ଭଜନ ଓ କୀର୍ତ୍ତନ କରିଥିଲେ। ଦୀପାବଳି ପରଦିନ ସକାଳେ ଗ୍ରାମର ସମସ୍ତ ଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ତା’ପରେ ଶ୍ରଦ୍ଧାଳୁମାନେ ଗାଁଦାଣ୍ଡରେ ଲମ୍ବଦଣ୍ଡ ହୋଇ ଶୋଇଥିଲେ।
ଏହି ଅବସ୍ଥାରେ ଗାଈମାନଙ୍କୁ ଗୋଡ଼େଇ ଗୋଡ଼େଇ ସେମାନଙ୍କ ଉପରେ ଚଢ଼ିଯିବାକୁ ଛାଡ଼ି ଦିଆଯାଇଥିଲା। ଗାଈମାନେ ଦୌଡ଼ି ଯାଉଥିବା ବେଳେ ସେମାନଙ୍କ ଖୁରା ଆଘାତକୁ ଖାତିର ନକରି ଶ୍ରଦ୍ଧାଳୁମାନେ ସେମିତି ଶୋଇ ରହିଥିଲେ। ଗାଈ ସବୁ ଚାଲିଗଲା ପରେ ଶ୍ରଦ୍ଧାଳୁମାନେ ଉଠିପଡ଼ି ଢୋଲ, ମୃଦଙ୍ଗର ତାଳେ ତାଳେ ଗାଁଦାଣ୍ଡରେ ନାଚିଥିଲେ। ଏଥିରେ କେହି ଜଣେ ବି ଆହତ ହୋଇନଥିବା ଗ୍ରାମବାସୀ କହିଛନ୍ତି। ଲୋକଙ୍କ ଭିତରେ ଏକ ବିଶ୍ବାସ ରହି ଆସିଛି ଯେ, ଗୋମାତା ଦେହରେ ତେତ୍ରିଶ କୋଟି ଦେବଦେବୀ ବାସ କରିଥା’ନ୍ତି। ତେଣୁ ଯାହା ଉପରେ ଗାଈ ଚାଲିଯାଏ, ସେ ଦୈବ ଆଶୀର୍ବାଦ ଲାଭ କରିଥାଏ।