ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ, ୪ ଗିରଫ

ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ, ୪ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମେଡିକାଲ କର୍ମଚାରୀ କାଲୋବାହାଲର ଚୈତନ୍ୟ ତନ୍ତୀ, ମାମଲାର ମୁଖ୍ୟ ଦଲାଲ ତସଲାଡିହିର ସୁଶାନ୍ତ ମାଝୀ, ମହୁଲପାଲିର ମଦନ ଗର୍ଡିଆ, ସୁନ୍ଦରଗଡ ମିଶନରୋଡର ଆଶିଷ ନାଏକ ରହିଛନ୍ତି । ମିଶନ ରୋଡସ୍ଥିତ ଆଶିଷଙ୍କ ଜେରକ୍ସ ଦୋକାନରୁ କମ୍ପ୍ୟୁଟର୍‌, ପ୍ରିଣ୍ଟର ଓ ବହୁ ଜାଲି ଦସ୍ତାବିଜ୍‌ ଜବତ ହୋଇଛି । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ଯୋଗ୍ୟତା ଅନୁସାରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଏକ ବଡ ରାକେଟ୍‌ ଗାଁ ଅଞ୍ଚଳରେ କାର୍ୟ୍ୟରତ କିଛି ଶିକ୍ଷକ ଓ ଡାକ ବିଭାଗ କର୍ମଚାରୀମାନଙ୍କ ଜରିଆରେ ଆଶାୟୀମାନଙ୍କୁ ପ୍ରବର୍ତ୍ତାଇ ଚୂନ ଲଗାଇଥିବା ଅଭିଯୋଗ ରହିଥିଲା । ସୁନିୟୋଜିତ ଭାବେ କାହାକୁ ମେଡିକାଲ ସହାୟକ ପଦ ତ କାହାକୁ ପରିଦର୍ଶକ, ପୁଣି କାହାକୁ ସୁରକ୍ଷାକର୍ମୀ, ଅଭ୍ୟର୍ଥନାକାରୀ ପଦରେ ନିଯୁକ୍ତି ଦେବା ନାଁରେ ଓଡିଶା ସରକାରଙ୍କ ଲଗୋ, ମେଡିକାଲ କଲେଜର ନାଁ ସହ ଡିନ ପ୍ରାଧ୍ୟାପକ ଡ. ଦୈତାରୀ ରାଉତରାୟଙ୍କ ଜାଲ୍‌ ଦସ୍ତଖତ ଏବଂ ସିଲ୍‌ ମୋହରରେ ଆଶାୟୀମାନଙ୍କୁ ନିଯୁକ୍ତି ଓ ଯୋଗଦାନପତ୍ର ସହ ଅଫିସ ନିଯୁକ୍ତି ଆଦେଶନାମା ଓ ପରିଚୟପତ୍ର ପ୍ରଦାନ କରି ବେରୋଜଗାର ଯୁବକଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଥିଲା ।