କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ

କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ:  ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ନୋଟିସରେ ଠିକ୍‌ ଦିନକ ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରୁ ପାଦ ଯାଏଁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିବା ସହ ଜାଣିଶୁଣି ଆମ୍‌ ଆଦମୀ ପାର୍ଟିର ନେତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  । ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି ତାଙ୍କ ବିରୋଧରେ ଟଙ୍କାଟିଏ ଦୁର୍ନୀତି ନେଇ ପ୍ରମାଣ ନାହିଁ, କିନ୍ତୁ ମିଛରେ ମାମଲା ରୁଜୁ କରାଯାଉଛି  । ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡିକ କୋର୍ଟକୁ ମିଛ କହୁଛନ୍ତି  । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ନିର୍ଯାତନା ଦିଆଯାଉଛି  । ଏପଟେ ନୋଟିସ୍‌ ମିଳିଛି, ଜେରା ପାଇଁ ନିଶ୍ଚୟ ଯିବେ ବୋଲି କହିଛନ୍ତି  ।

ଏପଟେ ଆପ୍‌ ମୁଖ୍ୟଙ୍କୁ ଟାର୍ଗେଟ୍‌ କରିଛି, ବିଜେପି  । ଅରବିନ୍ଦ କେଜ୍ରିୱାଲ ଦୁର୍ନୀତିର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର  । ଯଦି ସେ ଦୁର୍ନତି କରି ନାହାଁନ୍ତି, ଏତେ ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଭାରତୀୟ ଜନତା ପାର୍ଟି  ।

ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ସମନ୍‌ ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି  । ସେହିପରି ଆସନ୍ତାକାଲି ଦିନ ୧୧ଟାରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି  । ଏଥିପାଇଁ ଦିଲ୍ଲୀ ପୁଲିସ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି  । ଆପ୍‌ କର୍ମୀମାନେ ବିକ୍ଷୋଭ କରିବା ଆଶଙ୍କା ଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି  ।