ହିଣ୍ଡେନ୍‌ବର୍ଗ ରିପୋର୍ଟ ମିଛ: ଆଦାନି

ହିଣ୍ଡେନ୍‌ବର୍ଗ ରିପୋର୍ଟ ମିଛ: ଆଦାନି

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି। କଂପାନିର ବାର୍ଷିକ ସାଧାରଣ ବୈଠକରେ ଅଂଶଧନକାରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏହି ରିପୋର୍ଟ ପଛର ଉଦ୍ଦେଶ୍ୟ ଥିଲା ଗ୍ରୁପ୍‌ର ଭାବମୂର୍ତ୍ତିକୁ ନଷ୍ଟ କରି ସେଥିରୁ ଲାଭ ହାସଲ କରିବା। ରିପୋର୍ଟରେ କରାଯାଇଥିବା ସମସ୍ତ ଅଭିଯୋଗକୁ ଆମେ ଦୃଢ଼ ଭାବେ ଖଣ୍ଡନ କରିଥିଲୁ। ସେମାନେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମିଛ ଗୁଜବ ପ୍ରଚାର କରିଥିଲେ।

ଏହି ମାମଲାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟିର ‌ରିପୋର୍ଟ ଚଳିତ ବର୍ଷ ମେ’ରେ ସାର୍ବଜନୀନ ହୋଇଥିଲା ଓ ଆମ ତରଫରୁ କୌଣସି ନିୟମର ଉଲ୍ଲଂଘନ ହୋଇନଥିବା କମିଟି ଜଣାଇଛି ବୋଲି ଆଦାନି କହିଛନ୍ତି। ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଭାରତ ୨୦୫୦ ସୁଦ୍ଧା ବିଶ୍ବର ଦ୍ବିତୀୟ ବଡ଼ ଅର୍ଥନୀତିରେ ପରିଣତ ହେବ। ୨୦୩୦ ପୂର୍ବରୁ ଏହା ତୃତୀୟ ସ୍ଥାନରେ ପହଞ୍ଚିଯିବ। ପ୍ରତି ୧୮ ମାସରେ ଭାରତର ଜିଡିପିରେ ଅତିରିକ୍ତ ଏକ ଟ୍ରିଲିଅନ ଡଲାର ଯୋଡ଼ିହେବ ବୋଲି ସେ କହିଛନ୍ତି।

ଆମେରିକାର ସର୍ଟ-ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଚଳିତ ବର୍ଷ ଜାନୁଆରି ୨୪ରେ ଆଦାନି ଗ୍ରୁପ୍ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଅଣାଯାଇଥିଲା। ଆକାଉଣ୍ଟ୍‌ ହେରଫେର, ଷ୍ଟକ୍‌ ମୂଲ୍ୟ ଜାଲିଆତି, ଜାଲ୍‌ କଂପାନି ଗଠନ, କଂପାନିର ଗୁରୁତ୍ବପୂର୍ଣ୍ଣ ପଦରେ ପରିବାର ଲୋକଙ୍କୁ ନିଯୁକ୍ତି ଭଳି ଅନେକ ସଙ୍ଗିନ ଅଭିଯୋଗ ଆଦାନି ଗ୍ରୁପ୍ ବିରୋଧରେ ରହିଥିଲା ଯାହାକୁ ନେଇ ଷ୍ଟକ ବଜାରରେ ଝଡ଼ ସୃଷ୍ଟି ହୋଇଥିଲା। ଆଦାନି ଗ୍ରୁପ୍‌ର ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ହୋଇଥିବା ସାତଟି କଂପାନିର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରୁ କଂପାନି ବିପୁଳ କ୍ଷତି ସହିଥିଲା। ବିଶ୍ବର ତିନି ନମ୍ବର ବଡ଼ ଧନୀ ଥିବା ଆଦାନି ତାଲିକାର ଶ୍ରେଷ୍ଠ ୩୦ରୁ ବିଦା ହୋଇଥିଲେ।