ପିଅନ୍ତୁ ଏହି ପାନୀୟ, ସୁସ୍ଥ ରହିବ ପାଚନ ତନ୍ତ୍ର
ଭୁବନେଶ୍ୱର: ଖରାଦିନ, ଗରମର ପ୍ରକୋପରେ ଅଧିକାଂଶ ଲୋକଙ୍କର ଖାଦ୍ୟପେୟରେ ପରିବର୍ତ୍ତନ ହେଉଛି । ଯାହାଦ୍ୱାରା ଏହାର ସିଧାସଳଖ ପ୍ରଭାବ ଆମର ପାଚନ ତନ୍ତ୍ର ଉପରେ ପଡ଼ୁଛି । ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ । ଏହାସହ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ । ହଜମ କ୍ରିୟା ସଠିକ ଭାବେ କାର୍ୟ୍ୟ ନକରିବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ । ଏଭଳି କେତେକ ପାନୀୟ ରହିଛି, ଯାହାକୁ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ ।
ମେଥି ପାଣି – ମେଥି ଦାନାରେ ଭିଟାମିନ ସି, ଫାଇବର, ମାଗ୍ନେସିୟମ, କ୍ୟାଲସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ୱ ରହିଛି । ମେଥି ପାଣି ସେବନ ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ । ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଏଥିପାଇଁ ଏକ ଗ୍ଲାସ ପାଣିରେ ଅଳ୍ପ ମେଥି ଦାନା ପକାଇ ଏହାକୁ ଫୁଟାନ୍ତୁ । ଏହାକୁ ପିଅନ୍ତୁ । ଏହାଦ୍ୱାରା ବଦହଜମି ସମସ୍ୟା ଦୂର ହୋଇଥାଏ ।
ଅଦା ଓ ଗୋଲମରିଚ - ଅଦା, ଗୋଲମରିଚର ପାଣି ପିଇବା ପାଚନ ତନ୍ତ୍ର ପାଇଁ ବେଶ ଲାଭଦାୟକ ହୋଇଥାଏ । ଅଦାରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଛି । ଯାହା ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ଏସିଡିଟି ଓ ବଦହଜମି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଅଦାରେ ଓ ଗୋଲମରିଚ ଚା’ରେ ସାମାନ୍ୟ ମହୁ ମଧ୍ୟ ମିଶାଇ ପାରିବେ । ଏହାର ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ପାନମଧୁରୀ ପାଣି - ହଜମ ଶକ୍ତିକୁ ଶକ୍ତିଶାଳୀ କରିବା ପାଇଁ ସକାଳେ ଖାଲି ପେଟରେ ପାନମଧୁରୀ ପାଣି ପିଇପାରିବେ । ପାନମଧୁରୀରେ ଫାଇବର, ଜିଙ୍କ,ଆଇରନ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ରହିଛି । ପାନମଧୁରୀ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସହାୟକ ହୋଇଥାଏ । ପାନମଧୁରୀ ପାଣି ପିଇବା ଦ୍ୱାରା ଏସିଡିଟି, ବାନ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।




admin 