ରାଜଧାନୀରେ ଡେଙ୍ଗୁ ନେଲା ଜୀବନ
ଭୁବନେଶ୍ୱର: ରାଜଧାନୀରେ ଡରାଉଛି ଡେଙ୍ଗୁ। ଡେଙ୍ଗୁରେ ଆକ୍ରାନ୍ତ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଆତଙ୍କ ଖେଳାଇ ଦେଇଛି। ତେବେ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ୧୯ ବର୍ଷର ଛାତ୍ର ଅକ୍ଲାନ୍ତ ମଲ୍ଲିକଙ୍କ ଜୀବନ ଯାଇଛି । ଡେଙ୍ଗୁରେ ବର୍ତ୍ତମାନ ସୁଦ୍ଧା ୫ ରୋଗୀଙ୍କ ଜୀବନ ଗଲାଣି।
ମାଆ ମିଲି ମିଲ୍ଲିକ ଘର ଘର ବୁଲି ବାସନ ମାଜି ପୁଅକୁ ପାଠ ପଢ଼ାଉଥିଲେ । କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରୁ ଆସି ୱାର୍ଡ ନମ୍ବର ୪୫ ଚିନ୍ତାମଣିଶ୍ୱରରେ ରହି ଗୁଜୁରାଣ ମେଣ୍ଟାଉଥିଲେ । ପିତା ଶ୍ରମିକ କାର୍ୟ୍ୟ କରୁଥିଲେ ।
ଚିକିତ୍ସାରେ ଅବହେଳା ପାଇଁ ଅକ୍ଲାନ୍ତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛି । ମିଳିଥିବା ସୂଚନା ଅନୁଯାୟୀ ୩ରୁ ୬ ତାରିଖ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ଦୌଡ଼ି ଦୌଡ଼ି ଛଟପଟ ହୋଇଥିଲେ । ଅକ୍ଲାନ୍ତଙ୍କୁ ୩ ତାରିଖରେ ଭୀଷଣ ଜ୍ୱର ହୋଇଥିଲା । ସେ ରାତି ୨ଟାରେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ହେଲେ ହସ୍ପିଟାଲରେ ଜରୁରିକାଳୀନ ସେବା ଯୋଗାଉଥିବା ଡାକ୍ତର ଖାଲି ଔଷଧ ଲେଖି ଛାଡ଼ି ଦେଇଥିଲେ । ଆଉ ରାତିରେ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ ।
ଏହାପରେ ପୁଣି ଆଉ ଥରେ ୪ ତାରିଖରେ ହସ୍ପିଟାଲ ଆସି ଓପିଡିରେ ଦେଖାଇଥିଲେ । ସେଠାରେ ମଧ୍ୟ ଆଡିମିସନ୍ ନକରି ଡେଙ୍ଗୁ ଟେଷ୍ଟ କରିବା ପାଇଁ କହି ଫେରାଇଥିଲେ । ଶେଷରେ ଦେହ ଭଲ ନହେବାରୁ ପୁଣି ୫ ତାରିଖରେ ମଧ୍ୟ ଆସିଥିଲେ । ହେଲେ ସେତେବେଳେ ୱାର୍ଡରେ ବେଡ୍ ନାହିଁ କହି ଏମ୍ସକୁ ରେଫର କରିଥିଲେ । ଏମ୍ସରେ ମଧ୍ୟ ୬ ତାରିଖରେ ଅକ୍ଲାନ୍ତ ୩ ଘଣ୍ଟା ଜରୁରିକାଳୀନ ୱାର୍ଡରେ ପଡ଼ିରହିଥିଲେ । ଯଦି ଆଇସିୟୁକୁ ନେଇ ଯାଇଥାନ୍ତେ, ତାହେଲେ ଅକ୍ଲାନ୍ତ ବଞ୍ଚିଯାଇପାରିଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି । ଶେଷରେ ପ୍ରାଣ ହରାଇଥିଲେ ଅକ୍ଲାନ୍ତ ।




user2 