ଦୁଇ ମୃତଦେହ ଉଦ୍ଧାର

ଦୁଇ ମୃତଦେହ ଉଦ୍ଧାର

ଆଠମଲ୍ଲିକ:  ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତେନ୍ତୁଳିପଦର ପାହାଡ଼ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ବେଳେ ହାତୀଗଞ୍ଜ ବ୍ରିଜ ତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। 

ସୂଚନାନୁଯାୟୀ, ଠାକୁରଗଡ଼ ଥାନା ତେନ୍ତୁଳିପଦର ଗ୍ରାମର ବିରବର ଦେହୁରୀ ଗୁରୁବାର ରାତିରେ ତେନ୍ତୁଳିପଦର ଗ୍ରାମକୁ ଅପେରା ଯାତ୍ରା ଦେଖିବାକୁ ଆସିଥିଲେ। ମାତ୍ର ଅପେରା ଯାତ୍ରାକୁ ନ ଯାଇ ପାହାଡ଼ ନିକଟରେ ଜଣେ ମହିଳାଙ୍କ ସହିତ ପ୍ରଚୁର ମଦ୍ୟ ପାନ କରିଥିଲେ । ମାତ୍ରାଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ମହିଳା ଜଣଙ୍କ ପ୍ରକାଶ କରିଛନ୍ତି ।

ସେହିପରି ହାତୀଗଞ୍ଜ ବ୍ରିଜ ତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ବୃଦ୍ଧ ଜଣକ ଘର ଠାକୁରଗଡ଼ ଥାନା ଅସ୍ତରଙ୍ଗପୁର ଗ୍ରାମର ସଞ୍ଜୟ ସ୍ୱାଇଁ ବୋଲି ଜଣାପଡ଼ିଛି। ସଞ୍ଜୟ ଗତକାଲି ଘରୁ ଏକ ସାଇକେଲରେ ତାଙ୍କ ଶ୍ଵଶୁରଘର ହାତିଗଞ୍ଜକୁ ଯାଇଥିଲେ । ଫେରିବା ସମୟରେ ଅସାବଧାନବଶତଃ ବ୍ରିଜ୍ ତଳକୁ ଖସିପଡି ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି।