ସମ୍ବଲପୁର କର୍ଫ୍ୟୁ: ଡିଜିପିଙ୍କ ସମୀକ୍ଷା
ସମ୍ବଲପୁର: ସମ୍ବଲପୁର ହିଂସା ଘଟଣାର ସମୀକ୍ଷା କରିବେ ପୋଲିସ ଡିଜି । ଗତକାଲି ଡିଜିପି ସହରର ବିଭିନ୍ନ ସ୍ଥାନକୁ ନିଜେ ଯାଇ ଆଇନଶୃଙ୍ଖଳା ସ୍ଥିତିର ଅନୁଧ୍ୟାନ କରିଥିଲେ । ଉପସ୍ଥିତ ଅଧିକାରୀଙ୍କୁ ଭେଟି ସହରରେ କିପରି ଶାନ୍ତି ଫେରିଆସିବ, ସେ ନେଇ ଆଲୋଚନା କରିଥିଲେ । ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସହରର ଅଶାନ୍ତ ଅଞ୍ଚ ବୁଲିଥିଲେ । ସମ୍ବଲପୁର ସହରର ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗରେ ରହିଛନ୍ତି ପୁଲିସ୍ ଡିଜି ।
ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ପୂର୍ବରୁ ୪୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତ ରାତିରେ ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି । ସହରରେ ମୋଟ୍ ୪୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆସନ୍ତାକାଲି ପର୍ୟ୍ୟନ୍ତ ସହରରେ ଇଂଟରନେଟ୍ ସେବା ବନ୍ଦ କରାଯାଇଛି । ସେପଟେ ଆଜି କର୍ଫ୍ୟୁ କଟକଣାକୁ ଅଧିକ କୋହଳ କରାଯାଇଛି । ସକାଳ ସାଢେ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ କଟକଣାକୁ କୋହଳ ହୋଇଛି । ଏହି ସମୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । କଟକଣା କୋହଳ ହୋଇଥିବାରୁ ଆଜି ସକାଳୁ ମାର୍କେଟ୍ରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । କଟକଣା କୋହଳ ସମୟରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ମାର୍କେଟକୁ ଯାଇଛନ୍ତି ।




admin 