କୋଭିଡ୍‌ ସଂକ୍ରମଣ : ୨୪ ଘଣ୍ଟାରେ ୧୦,୦୯୩ ଆକ୍ରାନ୍ତ

କୋଭିଡ୍‌ ସଂକ୍ରମଣ : ୨୪ ଘଣ୍ଟାରେ ୧୦,୦୯୩ ଆକ୍ରାନ୍ତ

ନୂଆଦିଲ୍ଲୀ: କ୍ରମାଗତ ୪ ଦିନ ହେବ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୦୦୦ ଉପରେ ରହୁଥିବା ବେଳେ ଆଜି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୦୯୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୦୯୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୧୮,୧୧୫ରେ ପହଞ୍ଚିଛି।

ଗତ ୨୪ ‌ଘଣ୍ଟାରେ ୧୯ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୧୧୪କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୬.୭୮% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୪.୪୯% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୨,୨୯,୪୫୯। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୬୮% ରହିଛି।