ପର୍ବତମାଳାର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ଏସ୍କାଲେଟର
ଚୀନରେ ଝେଜିଆଙ୍ଗ ପ୍ରଦେଶରେ ରହିଥିବା ପର୍ବତମାଳାର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ବର୍ଷ ତମାମ ବହିରାଗତ ପର୍ଯ୍ୟଟକମାନଙ୍କ ଧାଡ଼ି ଲାଗିଥାଏ । ମାତ୍ର ଅଳସୁଆ ପର୍ଯ୍ୟଟକମାନଙ୍କ ପାଇଁ ପାଦରେ ପାହାଡ଼ ଚଢ଼ି ଶିଖରରେ ପହଂଚିବା ଏକ ଦୁରୂହ ବ୍ୟାପାର । ଝେଜିଆଙ୍ଗର ଚୁନାନ୍ କାଉଁଟିଂ ଅନ୍ତର୍ଗତ ତନୁ୍ୟ ପାହାଡ଼ର ଉଚ୍ଚତା ମାତ୍ର ୩୫୦ ମିଟର ହୋଇଥିଲେ ହେଁ ତାହା ଶିଖରରେ ପହଂଚିବାକୁ ତାହାର ଚତୁଃପାର୍ଶ୍ୱରେ ଥିବା ତିନିଟି ପର୍ବତକୁ ଚାଲି ଚାଲି ଅତିକ୍ରମ କରିବାକୁ ପଡ଼ିଥାଏ, ଯାହା ବୟସ୍କ ଓ ଶିଶୁମାନଙ୍କ ପକ୍ଷେ ଅସମ୍ଭବ ହେଉଥିଲା । ତେବେ ଏଣିକି ଆଉ ସେମାନଙ୍କୁ ସେ ବାବଦରେ କଷ୍ଟ କରିବାକୁ ପଡ଼ିବନି । ବିଭିନ୍ନ ପାହାଡ଼ରେ ପର୍ଯ୍ୟଟନ ପରିଚାଳନା କମ୍ପାନିମାନେ ଶହ ଶହ ମିଟର ଲମ୍ବର ଏସ୍କାଲେଟରମାନ ଖଞ୍ଜିଦେଇଛନ୍ତି । ଫଳରେ ଏକଦା ବିପଦସଂକୁଳ ପର୍ବତପଥରେ କେବଳ ପଦଯାତ୍ରା ଦ୍ୱାରା ସମ୍ଭବ ହେଉଥିବା ସୁଦୃଶ୍ୟ ସ୍ଥାନଗୁଡ଼ିକ ଏବେ ଆରୋହଣକାରୀଙ୍କ ପାଇଁ କେଇ ମିନିଟ୍ରେ ଉପଲବ୍ଧ ହୋଇପାରୁଛି ।
ଏସ୍କାଲେଟର ଖଞ୍ଜିଥିବା ଜଣେ କମ୍ପାନି କର୍ମଚାରୀଙ୍କ କହିବାନୁସାରେ, ଏପରି ଏସ୍କାଲେଟର ଖଞ୍ଜିବାର ମୂଳ ଉଦେ୍ଧଶ୍ୟ ହେଉଛି ପର୍ବତ ଆରୋହଣରେ ଟ୍ରାଫିକ୍ ସମସ୍ୟାର ସମାଧାନ କରିବା । ପ୍ରଥମେ ସେଠାରେ କେବୁଲ ପଥ ନିର୍ମାଣ କରିବାର ଯୋଜନା ଥିଲା । ମାତ୍ର ତାହାର ସୀମିତ ପରିବହନ କ୍ଷମତା ଓ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ସୁବିଧା ବିକଳ୍ପ ବ୍ୟବସ୍ଥା କରାଯାଇଛି । ଯଦିଓ ଏହାର ସୁଗମତା ଦୃଷ୍ଟିରୁ ଅନେକ ପର୍ବତାରୋହୀ ଏହି ଏସ୍କାଲେଟରକୁ ପସନ୍ଦ କରୁଛନ୍ତି, ଆଉ କିଛି ଲୋକ ଏହାକୁ ଏକ ଅଭିଶାପ ବୋଲି ବିଚାରୁଛନ୍ତି । ସେମାନଙ୍କ ମତରେ ସହଜରେ ଓ ଅତି କମ୍ ସମୟ ଭିତରେ ପାହାଡ଼ ଶୀର୍ଷରେ ପହଂଚିବା ଦ୍ୱାରା ପାଦଚଢ଼ାଜନିତ ପର୍ବତୀୟ ଅନୁଭୂତିର ଆନନ୍ଦକୁ ଏହା ସଂପୂର୍ଣ୍ଣ ଦୂରେଇ ଦେଉଛି ।




admin 