ଆଦିତ୍ୟ ଠାକ୍ରେଙ୍କ ନାଁରେ ମାମଲାv
ମୁମ୍ବାଇ: ସରକାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଗୁରୁବାର ଦିନ ଗୋଟାଏ ପୋଲର କିଛି ଅଂଶ ଉଦ୍ଘାଟନ କରିଥିବାରୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ଆଦିତ୍ୟ ଠାକ୍ରେଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ଔପଚାରିକ ଅନୁମତି ବିନା ଗୁରୁବାର ରାତିରେ ଲୋୟର୍ ପାରେଲ୍ସ୍ଥିତ ଡିଲାଇଲ୍ ସେତୁର ଦ୍ବିତୀୟ ‘କ୍ୟାରେଜ୍ୱେ’ ଉଦ୍ଘାଟନ କରିଥିବାରୁ ‘ବୃହନ୍ମୁମ୍ବାଇ ମୁନିସ୍ପାଲ୍ କର୍ପୋରେସନ୍’ (ବିଏମ୍ସି) ଅଭିଯୋଗ ଆଧାରରେ ଠାକ୍ରେଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ଏଯାବତ୍ ଉକ୍ତ ସେତୁ ନିର୍ମାଣ ଶେଷ ହୋଇନାହିଁ ଏବଂ ଚଳାଚଳ ପାଇଁ ନିରାପଦ ବୋଲି ସାର୍ଟିଫିକେଟ୍ ମିଳି ନ ଥିବାରୁ ଉଦ୍ଘାଟନ କାର୍ୟ୍ୟକୁ ବେଆଇନ ବୋଲି ‘ବିଏମ୍ସି’ ବିଚାର କରିଛି। ପୂର୍ଣ୍ଣାଙ୍ଗ ହୋଇ ନ ଥିବା ଉକ୍ତ ସେତୁରେ ଯାନବାହନ ଚାଳକଙ୍କ ପ୍ରତି ବିପଦ ଆଶଙ୍କା ରହିଛି ବୋଲି ‘ବିଏମ୍ସି’ ଚିନ୍ତା ବ୍ୟକ୍ତ କରିଛି।
ଉକ୍ତ ସେତୁ ଉଦ୍ଘାଟନ କରିଥିବାରୁ ଆଦିତ୍ୟ ଠାକ୍ରେଙ୍କ ସହିତ ସିନ୍ଦ୍ ଓ ସଚିନ ଆହିର୍ଙ୍କ ନାଁରେ ‘ଆଇପିସି’ ଧାରା ୧୪୩, ୧୪୯, ୩୩୬ ଓ ୪୪୭ ଅନୁଯାୟୀ ‘ଏଫ୍ଆଇଆର୍’ ଦିଆଯାଇଥିଲା।
ସୂଚନାଯୋଗ୍ୟ, ଦକ୍ଷିଣ ମୁମ୍ବାଇ ଓ ଲୋୟର୍ ପାରେଲ୍କୁ ସଂଯୁକ୍ତ କରୁଥିବା ଡିଲାଇଲ୍ ସେତୁର କିଛି ଅଂଶ ଗତ ଜୁନ୍ ମାସରେ ଉନ୍ମୁକ୍ତ କରାଯାଇଥିଲା। ତା’ଛଡ଼ା, କ୍ୟୁରି ରୋଡ୍ରୁ ଲୋୟର୍ ପାରେଲ୍ ସହିତ ସଂଯୁକ୍ତ କରୁଥିବା ସେତୁର ଆଉ ଗୋଟାଏ ଅଂଶକୁ ଗତ ସେପ୍ଟେମ୍ବର ମାସରେ ସର୍ବସାଧାରଣଙ୍କ ଲାଗି ଖୋଲା ଯାଇଥିଲା।




admin 