ଘରୋଇ ବସ୍‌ ୧୦ରୁ ଗଡ଼ିବନି ‌

ଘରୋଇ ବସ୍‌ ୧୦ରୁ ଗଡ଼ିବନି ‌

କଟକ: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାରେ ଘରୋଇ ବସ୍ ମାଲିକଙ୍କ ବସ୍‌ଗୁଡିକୁ ସାମିଲ କରିବାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ରହିଥିବା ବିବାଦ ତୁଟିନାହିଁ। ଆଲୋଚନାର କୌଣସି ସୁଫଳ ନ ମିଳିବାରୁ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ସମଗ୍ର ରାଜ୍ୟରେ ଘ‌ରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ସଂଘର ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବସ୍‌ ବନ୍ଦ ରହିବ ବୋଲି ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତ ଅକ୍ଟୋବର୍‌ ୨ ତାରିଖ (ଗାନ୍ଧୀ ଜୟନ୍ତୀ) ଦିନ ଏହି ସମାନ ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲା (ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର)ରେ ବସ୍ ଚଳାଚଳ ବନ୍ଦ ରଖାଯାଇଥିଲା। 

ରାଜ୍ୟ ସରକାର ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗାନ୍ଧୀ ଜୟନ୍ତୀରୁ ମାଲାକାନଗିରି ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଯୋଜନା ଅନୁସାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟ, ବ୍ଲକ୍‌ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମା, ଜିଲ୍ଲା ସଦର ମହକୁମ‌‌ାରୁ ରାଜଧାନୀକୁ ବସ୍ ଚଳାଚଳ ପାଇଁ ଯୋଜନା ହୋଇଛି। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେ‌ଲେ ରାଜ୍ୟର ବିଭିନ୍ନ ରୁଟ୍‌ରେ ଚାଲିଥିବା ୧୪ ହଜାର ଘ‌ରୋଇ ବସ୍ ପ୍ରଭାବିତ ହେବେ। ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ୮ ହଜାର ବସ୍ ମାଲିକ କ୍ଷତି ସହିବେ।

ସେହିଭଳି ଘରୋଇ ବସ୍‌ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ କର୍ମଚାରୀ ମଧ୍ୟ କ୍ଷତି ସହିବାର ଆଶଙ୍କା ପ୍ରକ‌ାଶ କରି ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏ ନେଇ କିଛି ପ୍ରସ୍ତାବ ପଠାଇଥିଲେ। ଲକ୍ଷ୍ମୀ ବସ୍ ଯୋଜନାରେ ଘରୋଇ ବସ୍‌ଗୁଡିକୁ ସାମିଲ କରି ବିଭିନ୍ନ ରୁଟ୍‌ରେ ଚଲାଇବାକୁ ସଂଘ ଦାବି କରିଥିଲା। ମୋ ବସ୍‌ଗୁଡିକୁ କେବଳ ସହରାଞ୍ଚଳରେ ଚଲାଇବାକୁ ମଧ୍ୟ ସଂଘ ଦାବି କରିଥିଲା। ସରକାର ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦୁଇ ପ୍ରମୁଖ ଦାବିକୁ ମାନି ନଥିବାରୁ ସଂଘ ବାଧ୍ୟ ହୋଇ ବନ୍ଦ ନିଷ୍ପତ୍ତି ନେଇଥିବା ଶ୍ରୀ ସାହୁ କହିଛନ୍ତି।