ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆଜିଠାରୁ
ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆଜିଠାରୁ
admin
Aug 27, 2019 - 05:24
Updated: Aug 27, 2019 - 05:24
ଭୁବନେଶ୍ୱର : ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆଜିଠାରୁ ଆରମ୍ଭ ହୋଇଛି । ଆଜି ଲୋକସେବା ଭବନରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି । ଅର୍ଥନୈତିକ ଗଣନା ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ମୋବାଇଲ ଆପର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ଗଣନା ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିବ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଓ ରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ନିଦେ୍ର୍ଧଶାଳୟର ତତ୍ତ୍ୱାବଧାନରେ ଚାଲିବାକୁ ଏହି କାର୍ଯ୍ୟକ୍ରମରେ ୩୧ ହଜାର ଗଣନାକାରୀ ଓ ୬ ହଜାର ୬୦୦ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଏଥିପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟିମାନ ଗଠନ କରାଯାଇଛି ।
ସପ୍ତମ ଅର୍ଥନୈତିକ ଗଣନା ପାଇଁ ୨୦୧୯ ରିୟଲଟାଇମ ଡାଟା ଭାଲିଡେସନ ଓ ଯାଞ୍ଚ, ଜିଓଟ୍ୟାଗିଂ ଟାଇମସ ଷ୍ଟାମ୍ପିଂ, ଏମଆଇଏସ ଡ୍ୟାସବୋର୍ଡ ବ୍ୟବହାର କରାଯିବ । ଏହା ସହିତ ଏହି ସର୍ଭେ କାର୍ଯ୍ୟ ମୋବାଇଲ ଆପ ଦ୍ୱାରା ପରିଚାଳିତ ହେବ । ଫଳରେ ସର୍ବେକ୍ଷଣରେ ଶତପ୍ରତିଶତର ସଫଳତା ମିଳିପାରିବ । ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଏକ ସ୍ପେଶାଲ ପରପଜ୍ ଭେହିଜିଲ (ଏସପିଭି), ‘କମନ ସର୍ଭିସ ସେଣ୍ଟର ଇ.ଗଭର୍ଣ୍ଣାସ୍ ସର୍ଭିସ ଇଣ୍ଡିଆ ଲିମିଟେଡ୍ ମାଧ୍ୟମରେ ସପ୍ତମ ଅର୍ଥନୈତିକ ଗଣନା କାର୍ଯ୍ୟକାରୀ ହେଉଛି ।
ଏ ଯାଏଁ ଦେଶରେ ୬ଟି ଅର୍ଥନୈତିକ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଥରକ ଗଣନାରେ ୨୭ କୋଟି ପରିବାର ଓ ୭ କୋଟି ସଂସ୍ଥା ସାମିଲ ହେବେ । ଏହି ବ୍ୟାପକ କାର୍ଯ୍ୟ ପାଇଁ ୯ ଲକ୍ଷ ଗଣନାକାରୀ ଓ ୩ ଲକ୍ଷ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ । ରାଜ୍ୟର ଅର୍ଥନୈତିକ ଗଣନା ପାଇଁ ୧୬ ହଜାର କମନ ସର୍ଭିସ ସେଣ୍ଟର ଖୋଲାଯାଇଛି । ଏହି ଗଣନା କାର୍ଯ୍ୟକ୍ରମରେ ରାଜ୍ୟବାସୀ, ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପସଂସ୍ଥାଗୁଡ଼ିକ ତଥ୍ୟ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ପରିସଂଖ୍ୟା ସଂଗ୍ରହ ଆଇନ ୨୦୦୮ ଅନୁଯାୟୀ ସମସ୍ତ ସଂଗୃହୀତ ତଥ୍ୟ ଗୋପନୀୟ ରଖାଯିବ ।