ଶିକ୍ଷକଙ୍କ ଘର ଉପରେ ଦୁର୍ବୃତ୍ତ ଚଲାଇଲେ ବୁଲଡୋଜର
ପୁରୀ: ଶିକ୍ଷକଙ୍କ ଘର ସମ୍ମୁଖରେ ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଲେ ଉନ୍ମତ କାଣ୍ଡ। ହାତରେ ଖଣ୍ଡା ଧରି ବୁଲିବା ସହ ଶିକ୍ଷକଙ୍କ ଘର ଉପରେ ଚଲାଇଲେ ବୁଲଡୋଜର । ଏପରି ଏକ ସାଂଘାତିକ ଘଟଣା ଗତ ରାତିରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି।
ଜମିଜମା ବିବାଦରୁ ଦୁର୍ବୃତ୍ତମାନେ ଏପରି ଭୟଙ୍କର କାଣ୍ଡ ଘଟାଇଥିବା ଜଣାଯାଇଛି। ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଘର କରି ରହିଥିବା ଅରୁଣ ମହାନ୍ତି ନାମକ ଶିକ୍ଷକ ଏପରି ଆକ୍ରୋଶର ଶିକାର ହୋଇଛନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।
ଶିକ୍ଷକ ଅରୁଣ ମହାନ୍ତିଙ୍କ ପତ୍ନୀଙ୍କ କହିବାନୁଯାୟୀ, ଗତ ରାତି ପ୍ରାୟ ଗୋଟାଏ ବେଳେ ଘର ବାହାରେ ପ୍ରବଳ ପାଟିତୁଣ୍ଡ ଶୁଭିଲା। ଗ୍ରୀଲ୍ ନିକଟକୁ ଯାଇ ଦେଖିବା ବେଳକୁ ବାହାରେ ପ୍ରାୟ ୧୫ ପାଖାପାଖି ଲୋକ ମୁଖା ପିନ୍ଧି ହାତରେ ମାରଣାସ୍ତ୍ର ଧରି ଘର ଆଗରେ ବୁଲୁଛନ୍ତି। ଏହାପରେ ସେମାନେ ଏକ ବୁଲଡୋଜର ଆଣିଥିଲେ। ଆମ ଘର ନ ଭାଙ୍ଗିବାକୁ ନେହୁରା ହେବାରୁ ଶୁଣି ନ ଥିଲେ। ଏପରିକି ବାହାରକୁ ଆସିଲେ ଭୁଜାଲି ଭୁଶିଦେବୁ, ହାଣି ଦେବୁ, ମୁହଁକୁ ଏସିଡ ପକାଇବୁ ବୋଲି ଧମକାଇଥିଲେ। ଫଳରେ ଆମେ ଘର ବାହାରକୁ ବାହାରି ପାରି ନ ଥିଲୁ। ଆମେ ଭୟଭୀତ ହୋଇ ଘର ଭିତରେ ଥିବା ବେଳେ ସେମାନେ ଆମ ଘର ଉପରେ ବୁଲଡୋଜର ଚଲାଇଥିଲେ । ସେମାନେ ଆମ ଘର ସମେତ ପାଚେରୀ ଓ କାର୍କୁ ଭାଙ୍ଗିରୁଜି ଚୁରାମାର କରିଦେଇଥିବା ଅରୁଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।




