ଏବେ ବରିଷ୍ଠଙ୍କ ଖୋଜୁଛି ବିଜେଡ଼ି
ଚବିଶ ନିର୍ବାଚନରେ ପାନେ ପାଇବା ପରେ ବିଜେଡ଼ି ଏବେ ବରିଷ୍ଠଙ୍କୁ ଲୋଡ଼ିବା ଆରମ୍ଭ କରିଛି । ଆଉ ଦଳରେ କନିଷ୍ଠଙ୍କ ମାମଲତି ଦେଖିବାକୁ ମିଳୁନାହିଁ । ଏଭଳି ଘଡ଼ିସନ୍ଧି ସମୟରେ ବରିଷ୍ଠ ନେତାମାନେ ହିଁ ଦଳକୁ ମଜବୁତ କରିପାରିବେ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି । ଯେଉଁଥିପାଇଁ ସାମ୍ବାଦିକ ସମ୍ମିଳନୀ ହେଉକି ପ୍ରେସ୍ ବିଜ୍ଞପ୍ତି ସବୁଠି ବରିଷ୍ଠ ନେତାମାନେ ହିଁ ଆଗକୁ ବାହାରିଛନ୍ତି ।
୧୯୯୫ରେ ଜନତା ଦଳ ବିରୋଧୀ ଭୂମିକାରେ ରହିଥିଲା । ସେହି ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ଘଡେ଼ଇ, ଅମର ଶତପଥି, ପ୍ରଭାତ ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟ ଏବେବି ବିଜେଡ଼ି ରାଜନୀତିରେ ସକ୍ରିୟ ରହିଛନ୍ତି । ଏମାନଙ୍କ ବ୍ୟତୀତ ସେତେବେଳେ ଛାତ୍ର ଓ ଯୁବ ରାଜନୀତିରେ ସକ୍ରିୟ ଥିବା ପ୍ରତାପ ଜେନା, ଅରୁଣ ସାହୁ, ସଂଜୟ କୁମାର ଦାସବର୍ମାଙ୍କୁ ମଧ୍ୟ ବିଜେଡ଼ି ଗୁରୁତ୍ୱ ଦେଉଛି । ଗତ କିଛିବର୍ଷ ଧରି ବରିଷ୍ଠଙ୍କୁ ଅଣଦେଖା କରାଯାଉଥିଲା । ସେମାନଙ୍କୁ କୋଣଠେସା କରି ଅନେକ କନିଷ୍ଠ ନେତାମାନେ ଦଳରେ ବେଶ ପ୍ରଭାବ ବିସ୍ତାର କରୁଥିଲେ । ଜ୍ଞାନ, ଗରିମା କି ଅଭିଜ୍ଞତା ନଥାଇ ପ୍ରେସମିଟରେ ଗର୍ଜନ କରୁଥିଲେ । ଟିଭି ପରଦାରେ ରାଉରାଉ ହେଉଥିଲେ । ଏବେ ଦଳ ବିରୋଧୀ ଭୂମିକାରେ ଥିବାରୁ ସେମାନେଯେ, ପ୍ରଭାବୀ ହେବେ ନାହିଁ ତାହା ନବୀନ ବୁଝି ସାରିଛନ୍ତି । ସେହିପରି ସକ୍ରିୟ ରାଜନୀତିରୁ କାର୍ତ୍ତିକ ପାଣ୍ଡିଆନ୍ ଅବସର ନେଇଥିଲେବି ପ୍ରଚ୍ଛଦ ପଟରେ ସେ ଗୋଟିଚାଳନା କରୁଛନ୍ତି । ତେଣୁ ବିପଦ ପଡ଼ିବା ପରେ ବରିଷ୍ଠଙ୍କୁ କୋଳେଇବାକୁ ଯୋଜନା କରିଛନ୍ତି ।
ଅପରପକ୍ଷରେ ଅନେକ ବର୍ଷ ଧରି ବିଜେପି ସହ କୋଳାକୋଳି ଥିବା ବିଜୁ ଜନତା ଦଳ ଏବେ ଯୁଦ୍ଧଂଦେହୀ ଡାକରା ଦେଇଛି । ରାଜ୍ୟସଭାରେ ଏହାର ଝଲକ ଦେଖିବାକୁ ମିଳିଛି । ଏବେ ଦଳ କିଛି ଦିନ ପାଇଁ ନୀରବରେ ବସିବ । ରଥଯାତ୍ରା ବେଳେ ସାଂଗଠନିକସ୍ତରରେ ବଡ଼ ଧରଣର ଅଦଳବଦଳ କରାଯିବ ବୋଲି ଶୁଣିବାକୁ ମିଳୁଛି । ଅଗଷ୍ଟରୁ ଦଳ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଘେରିବା ସହ ରାଜରାସ୍ତାକୁ ଯିବା ପାଇଁ ବି ସଜବାଜ ହେଉଛି । ରାଜ୍ୟରେ ଅନେକ ବର୍ଷ ପରେ ବିରୋଧୀ ଓ ସରକାରୀ ଦଳ ସମାନ ସମାନ ସ୍ଥିତିରେ ଥିବାରୁ ରାଜନୀତିକ ମାହୋଲ ସରଗରମ ହୋଇଯିବ ।




