ବିଜେଡ଼ିର ଟେନସନ, ୫୧ ଆସନ

ବିଜେଡ଼ିର ଟେନସନ, ୫୧ ଆସନ

୨୦୧୯ ବିଧାନସଭା ଭୋଟକୁ ହିସାବ କଲେ ବିଜେପି ୨୩ ଆସନରେ ବାଜିମାତ କରିଥିଲା  । ଯେତେବେଳେକି ସମସ୍ତଙ୍କୁ ଚକିତ କରି ଲୋକସଭା ଭୋଟରେ ବିଜେପି ୫୧ ଆସନରେ ଆଗେଇ ଯାଇଥିଲା  । ଏହି ୫୧ ଆସନ ପାଇଁ ବିଜେଡ଼ି ଏଥର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି  ।

 

ବରଗଡ଼ରେ ଗୋଟିଏ ବି ବିଧାନସଭା ଆସନ ବିଜେପି ଖାତାକୁ ଯାଇନଥିଲା । ତେବେ ସାଂସଦ ସୁରେଶ ପୂଜାରୀ ପଦ୍ମପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ ପାଇଥିଲେ  । ବିଜେପୁରରେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ ସୁରେଶ ସେଇଠାରେ ହିଁ ପଛରେ ପଡ଼ିଯାଇଥିଲେ  ।

 

ସୁନ୍ଦରଗଡ଼ରେ ଜୁଏଲ ଓରାମ୍‌ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁରରେ ବିଜେଡ଼ି ପ୍ରାର୍ଥିନୀ ସୁନୀତା ବିଶ୍ୱାଳଙ୍କ ଠାରୁ ଅଧିକ ଭୋଟ ପାଇଥିଲେ  । ଏକଦା ବଣେଇ ତାଙ୍କର ଗଡ଼ ଥିଲେବି ଜୁଏଲ ସେଠାରୁ କମ୍‌ ଭୋଟ ପାଇଥିଲେ  । ସମ୍ବଲପୁରରେ ବିଜେପି ନେତା ନୀତେଶ ଗଙ୍ଗଦେବ କୁଚିଣ୍ଡା, ରେଙ୍ଗାଲୀ, ସମ୍ବଲପୁର, ଦେବଗଡ଼ରେ ଆଗୁଆ ରହିବାରୁ ବିଜେଡ଼ିକୁ ହରାଇବାରେ ସକ୍ଷମ ହୋଇଥିଲେ  । କେନ୍ଦୁଝର ଲୋକସଭାରେ ବିଜେପି ହାରିଥିବାବେଳେ ପାଟଣା ଓ କେନ୍ଦୁଝରରେ ବିଜେଡ଼ି ଠାରୁ ଅଧିକ ଭୋଟ ପାଇଥିଲା  ।

 

ଅପରପକ୍ଷରେ ମୟୂରଭଞ୍ଜର ଯଶୀପୁର, ସାରସକଣା, ରାଇରଙ୍ଗପୁର ଓ ବାରିପଦାରେ ବିଶ୍ୱେଶ୍ୱର ଟୁଡ଼ୁ ଅଧିକ ଭୋଟ ପାଇବାରୁ ବାଜିମାତ୍‌ କରିଥିଲା  । ବାଲେଶ୍ୱରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଡ଼ସାହି, ବାଲେଶ୍ୱର, ରେମୁଣା, ନୀଳଗିରିରେ ବିଜେଡ଼ିକୁ ପଛରେ ପକାଇ ବିଜୟୀ ହୋଇଥିଲେ  ।

 

ସେହିପରି ଭଦ୍ରକ ଲୋକସଭା ଆସନରେ ବିଜେପିର ଅଭିମନ୍ୟୁ ସେଠୀ କେବଳ ସୋରୋ ଓ ଧାମନଗରରେ ଅଗ୍ରଣୀ ଲାଭ କରିଥିଲେ  । ଢେଙ୍କାନାଳରେ ବିଜେପି ପରଜଙ୍ଗ ଓ ପାଳଲହଡ଼ାରେ ଆଗୁଆ ଥିଲା  । ବଲାଙ୍ଗୀରରେ ସଂଗୀତା ସିଂହଦେଓ ଲୋଇସିଂହା, ପାଟଣାଗଡ଼, ଟିଟିଲାଗଡ଼ ଓ କଣ୍ଟାବାଞ୍ôଝରେ ଆଗୁଆ ରହିବା ସହ ସାଂସଦ ହେବାର ସୌଭାଗ୍ୟ ପାଇଥିଲେ  । କଳାହାଣ୍ଡିରେ ବସନ୍ତ ପଣ୍ଡା ଖରିଆର, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲାରେ ଅଗ୍ରଣୀ ହାସଲ କରିବାରୁ ପ୍ରଥମ ଥର ପାଇଁ ସାଂସଦ ହୋଇପାରିଥିଲେ  । ନବରଙ୍ଗପୁରରେ ବିଜେପି ଉମରକୋଟ ଓ ମାଲକାନାଗିରିରେ ଆଗୁଆ ରହିଥିଲା  । ପୁରୀ ସଂସଦୀୟ କ୍ଷେତ୍ରରେ ପୁରୀ, ବ୍ରହ୍ମଗିରିରେ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ପଛରେ ପକାଇ ଦେଇଥିଲା  ।

 

ବରଗଡ଼ ଭଳି ଭୁବନେଶ୍ୱରରେ ବି ବିଜେପି ଗୋଟିଏ ବିଧାନସଭା ଆସନ ପାଇନଥିଲା  । ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜୟଦେବକୁ ଛାଡ଼ିଦେଲେ ଭୁବନେଶ୍ୱରର ୩ ଆସନ, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧାରେ ଅଗ୍ରଣୀ ଲାଭ କରିଥିଲେ  । ଯାହାଫଳରେ ସେ ପ୍ରଥମ ଥର ସାଂସଦ ହେବାର ସୁଯୋଗ ପାଇଥିଲେ  । ଅପରପକ୍ଷରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡିରେ ବିଜେପି ଆଗୁଆ ରହିଥିଲା  ।

 

ଗାଏମୋଟ ଦେଖିଲେ ୨୧ ଲୋକସଭା ଆସନ ମଧ୍ୟରୁ ୭ଟି ଲୋକସଭା ଆସନରେ ବିଜେପି କୌଣସି ଏକ ବିଧାନସଭା ଆସନରେ ବି ବିଜେଡ଼ିକୁ ପଛରେ ପକାଇ ପାରିନାହିଁ  । ଏହି ଆସନ ଉପରେ ଏବେ ବିଜେଡ଼ି ଓ ବିଜେପିର ନଜର ରହିଛି  ।