ଅଶ୍ବିନୀ କଲେ ପ୍ରାର୍ଥୀ ଘୋଷଣା
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା। ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ବୁଧବାର ଅନୁଷ୍ଠିତ ସଭାମଞ୍ଚରୁ ଏ କଥା ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର। ଯାହାକୁ ନେଇ ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ବସ୍ତାରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ଜନସମ୍ପର୍କ ପଦଯାତ୍ରା।
ସମାବେଶରେ ବ୍ଲକ୍ ବିଜେଡି ସଭାପତି ଅନୀଲ୍ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଦେବ, ଖୋର୍ଦ୍ଧା ପ୍ରଭାରୀ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ରାଜ୍ୟ ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ନିଜ ବାସଭବନଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଥିବା ସମାବେଶରେ ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଦେଖିବାକୁ ମିଳିନଥିଲା।