ଗାଁ ମଝିରେ ବିମାନର ଅବତରଣ
ବେଲାଗାଭି: ମଙ୍ଗଳବାର ରେଡବର୍ଡ ଫ୍ଲାଇଟ ଟ୍ରେନିଂ ଏକାଡେମୀର ଦୁଇ ଆସନ ବିଶିଷ୍ଟ ଏକ ପ୍ରଶିକ୍ଷଣ ବିମାନକୁ ହୋନିହାଲ ଗ୍ରାମରେ ଜରୁରୀକାଳିନ ଅବତରଣ କରାଯାଇଥିଲା। ଉକ୍ତ ଗ୍ରାମଟି ବେଲାଗାଭିର ସାମ୍ବ୍ରା ବିମାନବନ୍ଦରଠାରୁ ୭କିମି ଦୂରରେ ଅବସ୍ଥିତ ଥିବା ଜଣାାପଡ଼ିଛି । ତେବେ ବିମାନଟି ଯାତ୍ରା କରିବାର କିଛି ସମୟ ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ପାଇଲଟ ଉକ୍ତ ପ୍ରଶିକ୍ଷଣ ବିମାନକୁ ଗ୍ରାମ ମଝିରେ ଜରୁରୀକାଳିନ ଅବତରଣ କରିଥିଲେ।
ବିମାନବନ୍ଦର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଉକ୍ତ ପ୍ରଶିକ୍ଷଣ ବିମାନକୁ ଚଲାଉଥିବା ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇବା ଭାରସାମ୍ୟ ରକ୍ଷା କରି ସୁରକ୍ଷିତ ଭାବେ ବିମାନଟିକୁ ହୋନିହାଲ ଗ୍ରାମରେ ଅବତରଣ କରିଥିଲେ। ଏହି କାରଣରୁ ଏଥିରେ କାହାକୁ ବିଶେଷ କିଛି କ୍ଷତି ପହଞ୍ଚି ନଥିଲା।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ମାରିହଲ ପୁଲିସ ଏବଂ ବିମାନବନ୍ଦର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମ ମଝିରେ ବିମାନକୁ ହଠାତ ଅବତରଣ କରାଯିବାରୁ ଏହାକୁ ଦେଖିବା ପାଇଁ ଚାଷୀ ତଥା ଗ୍ରାମର ଅନ୍ୟ ଲୋକଙ୍କ ଘଟଣାସ୍ଥଳରେ ଭିଡ଼ ଜମିଥିଲା।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର କେନ୍ଦ୍ର ମନ୍ତ୍ରୀ (ଅବସରପ୍ରାପ୍ତ) ଜେନେରାଲ ଭି.କେ ସିଂ ୨୦୨୩ ମାର୍ଚ୍ଚ ୨୯ ରେ ବେଲାଗାଭି ବିମାନବନ୍ଦରରେ ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀକୁ ଉଦଘାଟନ କରିଥିଲେ।
ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀ ହେଉଛି ସିଭିଲ୍ ଆଭିଏସନ୍ (ଡିଜିସିଏ)ଅନୁମୋଦିତ ଫ୍ଲାଇଟ୍ ଟ୍ରେନିଂ ସଂଗଠନ। ଯାହାକୁ ୨୦୧୭ରେ ପ୍ରତିଷ୍ଠା କରାଯାଇଥିଲା । ଏହା ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ (ଏନଏସଡିସି) ଦ୍ବାରା ସ୍ୱୀକୃତିପ୍ରାପ୍ତ । ଏଥିସହିତ ଏହା ଏରୋସ୍ପେସ୍ ଏବଂ ଆଭିଏସନ୍ ସେକ୍ଟର ସ୍କିଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ସହିତ ମଧ୍ୟ ଜଡିତ ଥିବା ଜଣାପଡ଼ିଛି।




admin 