ଆରପାରିରେ ସୁଷମା

ଆରପାରିରେ ସୁଷମା

ଆରପାରିରେ ସୁଷମା
ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି । ଆଜି ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୬୭ ବର୍ଷ ହୋଇଥିଲା । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ପ୍ରମୁଖ ବହୁ ମନ୍ତ୍ରୀ ଓ ନେତା ଶେଷ ଦର୍ଶନ ପାଇଁ ଏମ୍ସରେ ପହଞ୍ଚିଛନ୍ତି । ଶାରୀରିକ ଅସୁସ୍ଥତା ଯୋଗୁଁ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିବା ସୁଷମା ଆଜି ସଂନ୍ଧ୍ୟାରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ରାତି ୯ ଟା ୩୫ ମିନିଟ୍ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଚିକିତ୍ସା ଲାଗି ତୁରନ୍ତ ଏକ ୫ ଜଣିଆ ଡାକ୍ତରୀ ଦଳ ମଧ୍ୟ ଗଠିତ ହୋଇଥିଲା । ତେବେ ତାଙ୍କୁ ବଞ୍ଚାଇବା ଲାଗି ଡାକ୍ତରମାନଙ୍କ ସବୁ ପ୍ରକାର ଉଦ୍ୟମ ବିଫଳ ହୋଇଥିଲା । ରାତି ପ୍ରାୟ ୧୦ଟାରେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ । ୧୯୫୨ ମସିହା ଫେବୃୟାରୀ ୧୪ରେ ହରିଆନାର ଆମ୍ବାଲାରେ ଜନ୍ମିତ ସୁଷମା ସ୍ୱରାଜଙ୍କ ବାପାଙ୍କ ନାମ ହରଦେବ ଶର୍ମା ଥିବା ବେଳେ ମାଆଙ୍କ ନାମ ଲକ୍ଷ୍ମୀଦେବୀ । ସୁପ୍ରିମକୋର୍ଟରେ ଓକିଲ ଭାବେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ହେଁ ପରେ ରାଜନୀତିରେ ଯୋଗ ଦେଇ ବିଜେପିର ଜଣେ ଟାଣୁଆ ନେତା ହୋଇପାରିଥିଲେ ।