ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲ
ନୂଆଦିଲ୍ଲୀ: ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲ । ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳିଧରିବ ତାହା ରବିବାର ଫାଇନାଲ୍ ମୁକାବିଲା ପରେ ସ୍ପଷ୍ଟ ହୋଇଯିବ । ତେଣୁ ଫାଇନାଲ୍ରେ ୫ ଥର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ସାମ୍ନାରେ ଉଭା ହେବ ଦକ୍ଷିଣ ଆଫ୍ରିକା । ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ବ କପ୍ ହାସଲ କରିବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ହୋଇଯିବ । ନଚେତ୍ ଅଷ୍ଟ୍ରେଲିଆ ମହିଳା ଦଳ ବିଶ୍ବ ବିଜେତା ବୋଲି ପୁଣି ଥରେ ପ୍ରମାଣିତ ହୋଇଯିବ । ଏଥର ଫାଇନାଲିଷ୍ଟଙ୍କୁ ଦେଖିଲେ ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା ଗୋଟିଏ ଗ୍ରୁପ୍ର ଦୁଇ ଦଳ ଟ୍ରଫି ପାଇଁ ଲଢ଼ିବେ। ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗ୍ରୁପ୍-୧ରେ ସ୍ଥାନ ପାଇଥିଲା ବେଳେ ଦୁହେଁ ମଧ୍ୟ ଫାଇନାଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ।
ଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ହେଲେ ଲୌରା ଉଲ୍ଭର୍ଟ, ତାମିନ ବ୍ରିଟ୍ସ, ଅଲ୍ରାଉଣ୍ଡର ମାରିଜାନେ କାପ୍ଙ୍କୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ। ସେମାନଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କଠୁ ରନ୍ ବାହାର କରିବାକୁ ପଡ଼ିବ । ପୁଣି ବୋଲିଂରେ ସବ୍ନିମ ଇସ୍ମାଇଲ, ଆୟାବୋଙ୍ଗା ଖାକା, ନାଦିନେ ଡି କ୍ଲେର୍କ ଏବଂ କାପ୍ଙ୍କୁ ପ୍ରଭାବୀ ସାବ୍ୟସ୍ତ ହୋଇ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ପଡ଼ିବ । ନଚେତ୍ ଆଲିସା ହିଲି, ବେଥ୍ ମୁନି, ଅଧିନାୟିକା ମେଗ୍ ଲାନିଂ, ବିସ୍ଫୋରକ ଆସ୍ଲେ ଗାର୍ଡନର, ଏଲିସେ ପେରି ଏବଂ ଗ୍ରେସ୍ ହାରିସ୍ଙ୍କୁ ନେଇ ଶକ୍ତିଶାଳୀ ବ୍ୟାଟିଂକ୍ରମ ରଖିଥିବା ଅଷ୍ଟ୍ରେଲିଆ ବାଜି ମାରିନେବ ।
ବୋଲିଂରେ ଦାର୍ସି ବ୍ରାଉନ, ଗାର୍ଡନର, ଜେସ୍ ଜୋନାସେନ, ମେଘନା ଶ୍ଚୁଟ୍ ଏବଂ ତାହିଲା ମ୍ୟାକ୍ଗ୍ରା ପ୍ରତିପକ୍ଷ ପାଳିକୁ ବିପର୍ୟ୍ୟୟ ମୁହାଁ କରିବାର ସାମର୍ଥ୍ୟ ରଖନ୍ତି । ତେଣୁ ଉଭୟ ବ୍ୟାଟିଂ ଓ ବୋଲିଂରେ କିଛି କମାଲ ନଦେଖାଇଲେ ଦକ୍ଷିଣ ଆଫ୍ରିକାର ବିଶ୍ବକପ୍ ଜିତିବା ସ୍ବପ୍ନ ଅଧୂରା ରହିଯିବ । କିନ୍ତୁ ଅଧିନାୟିକା ସୁନେ ଲୁସ୍ ତାଙ୍କ ବୋଲିଂ ଆକ୍ରମଣ ବିଶ୍ବର ଶ୍ରେଷ୍ଠ ବୋଲି ଫାଇନାଲ୍ ପୂର୍ବରୁ ଚେତାଇ ଦେଇଛନ୍ତି । ପୁଣି ଦକ୍ଷିଣ ଆଫ୍ରିକା ଦଳକୁ ଘରୋଇ ଦର୍ଶକଙ୍କ ପୂରା ସମର୍ଥନ ମିଳିବ । ଫଳରେ ଆମେ ବିଜେତା ହେବା ପାଇଁ ସମସ୍ତ ପ୍ରୟାସ କରିବୁ ବୋଲି ଲୁସ୍ କହିଛନ୍ତି ।




admin 