ଶ୍ରୀବିଗ୍ରହ ଏବେ ଜ୍ୱରରେ ପୀଡ଼ିତ, ଚାଲିଛି ଅନବସର ନୀତି
ପୁରୀ: ସ୍ନାନବେଦିରେ ୧୦୮ ଗରା ଜଳ ଲାଗି ପରେ ଶ୍ରୀବିଗ୍ରହ ଏବେ ଜ୍ୱରରେ ପୀଡ଼ିତ। ଶୀଘ୍ର ଆରୋଗ୍ୟ କାମନା କରି ଦଇତାପତି ସେବକମାନେ ଠାକୁରଙ୍କ ଗୁପ୍ତ ପୂଜାରେ ଲାଗିଛନ୍ତି । ମଙ୍ଗଳବାର ଠାକୁରଙ୍କ ଓଦା ବସ୍ତ୍ର ଓଲାଗି ହୋଇଥିଲା । ଗୁରୁବାର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ । ବର୍ଷତମାମ ଦାରୁଦିଅଁ ଲାଗି ହୋଇଥିବା ଚନ୍ଦନ ଓ କରାଳ ଖୋଲାଯିବ । ୯ ତାରିଖ ଶୁକ୍ରବାର ଠାକୁରେ ଫୁଲୁରି ତେଲ ଲାଗି ହେବେ । ଶନିବାରଠାରୁ ଓଷୁଅ ଲାଗି ଆରମ୍ଭ ହେବ । ଓଷୁଅ ଲାଗି ପରେ ଠାକୁରେ ଚକାକୁ ଉଠିବେ ।
ସ୍ୱତନ୍ତ୍ର ପଣା “ପାଚନ ପାଣି’ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି । ଦଇତାପତିମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଣା ଭୋଗରେ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ଲୋଭ ରହିଥାଏ । ଏହି ଅଣସର ପଣା ସର, କର୍ପୂର ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ହୋଇଥାଏ । ଅନବସରରେ ପ୍ରତିଦିନ ଶ୍ରୀବିଗ୍ରହଙ୍କୁ ଦୁଇଥର ପଣା ଓ ଚକଟା ଭୋଗ ଅର୍ପଣ କରାଯାଉଛି । ଭୋଗରେ ଠାକୁରଙ୍କୁ କେବଳ ସର ଓ ଫଳମୂଳ ଆଦି ଲାଗି କରାଯାଉଛି ।




admin 