ଏଡିଜି ଅରୁଣ ବୋଥ୍ରାଙ୍କୁ ପୁଣିଥରେ ମିଳିଲା କ୍ରୁଟ୍‌ ଦାୟିତ୍ୱ

ଏଡିଜି ଅରୁଣ ବୋଥ୍ରାଙ୍କୁ ପୁଣିଥରେ ମିଳିଲା କ୍ରୁଟ୍‌ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ୍‌ ଅଫିସର ତଥା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ପୁଣିଥରେ କ୍ରୁଟ୍‌ ଦାୟିତ୍ୱ ଦେଇଛନ୍ତି । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍‌ସପୋର୍ଟ(କ୍ରୁଟ୍‌)ର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ବୋଥ୍ରା ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ବୋଥ୍ରା ଅତିରିକ୍ତ ଭାବେ କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ । ୨୦୧୯ରେ କ୍ରୁଟ୍‌ ପରିଚାଳନା ଦାୟିତ୍ୱରେ ଶ୍ରୀ ବୋଥ୍ରା ରହିଥିଲେ ଓ ଗତବର୍ଷ ତାଙ୍କୁ କ୍ରୁଟ୍‌ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା ।

ରାଜ୍ୟ ସରକାର ପୁଣିଥରେ କ୍ରୁଟ୍‌ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରିଛନ୍ତି ଓ ସେ କ୍ରାଇମବ୍ରାଞ୍ଚ ସହ ଅତିରିକ୍ତ ଭାବେ ଏହି ଦାୟିତ୍ୱକୁ ତୁଲାଇବେ । ବିଏମସି କମିଶନର ଆଇଏଏସ୍‌ କୁଲାଙ୍ଗେ ବିଜୟ ଅମୃତ ଏବେ କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ସ୍ଥାନରେ ଶ୍ରୀ ବୋଥ୍ରା ଏବେ ଏହି ଦାୟିତ୍ୱ ତୁଲାଇବେ ।ସେହିପରି ଆଇପିଏସ୍‌ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ଆଇଜି ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ କେବଳ ଓଏସ୍‌ଆର୍‌ଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ପରିବହନ କମିଶନର ଭାବେ କାର୍ୟ୍ୟରତ ଆଇପିଏସ୍‌ ଅଫିସର ଅମିତାଭ ଠାକୁରଙ୍କୁ ଜେଲ୍‌ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।