ଖଣି ମନ୍ତ୍ରୀଙ୍କ ବିରୋଧରେ ନିମ୍ନ ଅଦାଲତରେ ମାମଲା, ଜାଣନ୍ତୁ କାହିଁକି ?
କଟକ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ଥାନାରେ ପଶି ଗଣ୍ଡଗୋଳ କରିବା ଘଟଣାରେ ରାଜ୍ୟ ପୂର୍ତ୍ତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ନିମ୍ନ ଅଦାଲତରେ ମାମଲା ଚାଲିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ନିମ୍ନ ଅଦାଲତ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ବିଭିନ୍ନ ଦଫାରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ ।
ଏହି କଗ୍ନିଜାନ୍ସକୁ ରଦ୍ଦ ପାଇଁ ପ୍ରାର୍ଥନା କରି ଶ୍ରୀ ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଆଜି ଏହି ମାମଲାର ଶୁଣାଣି କରି ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଆବେଦନ ଖାରଜ କରିଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ନିମ୍ନ ଅଦାଲତରେ ମାମଲା ଚାଲିବା ସ୍ପଷ୍ଟ ହୋଇଯାଇଛି । ଯାହାକି ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ୨୦୧୩ମସିହାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏବଂ ତାଙ୍କର କିଛି ସମର୍ଥକ କାମାକ୍ଷାନଗର ଥାନାରେ ପଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଥାନାରେ ଭଙ୍ଗାରୁଜା କରିଥିଲେ ।
ଏହି ଘଟଣାରେ କାମାକ୍ଷାନଗରର ତତ୍କାଳୀନ ଥାନା ଅଧିକାରୀ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବିରୋଧରେ ଏତଲା ଦେଇଥିଲେ । ଏଥିରେ ନିମ୍ନ ଅଦାଲତ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଦଫା ୧୪୭(ଗଣ୍ଡଗୋଳ କରିବା), ୧୪୮(ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା), ୩୩୨(ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା), ୩୩୩(ଗୁରୁତର ଆଘାତ ପହଞ୍ଚାଇବା), ୩୩୪(ହଠାତ୍ ଆକ୍ରମଣ କରିବା), ୩୦୭(ଜୀବନରୁ ମାରିଦେବାକୁ ଉଦ୍ୟମ କରିବା), ୫୦୬(ଧମକଚମକ ଦେବା) ଏବଂ ୩୪(ମିଳିତ ଷଡ଼ଯନ୍ତ୍ର କରିବା) ରେ ମାମଲା ଚାଲିବ ବୋଲି କଗ୍ନିଜାନ୍ସ ଗ୍ରହଣ କରିଥିଲେ । ଏହାକୁ ବିରୋଧ କରି ଶ୍ରୀ ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।




admin 