ଆଉ ୫ ଦିନ ଅସହ୍ୟ ତାତି
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଛି। ଆଭ୍ୟନ୍ତରୀଣରେ ସୂର୍ୟ୍ୟଙ୍କ ଅଗ୍ନିବର୍ଷୀକିରଣ ଯୋଗୁଁ ତାପମାତ୍ରା ଉପର ମୁହାଁ ହୋଇଥିବା ବେଳେ ଉପକୂଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି କଲବଲ କରୁଛି। ଅନ୍ୟପଟେ ୨ ଦିନ ହେବ ଏଭଳି ସମସ୍ୟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ କିଛିକାଂଶରେ ଆଶ୍ୱସ୍ତି ଆଣିଛି। ଯଦିଓ ସନ୍ଧ୍ୟାରେ ବର୍ଷା ଯୋଗୁଁ ଗୁଳୁଗୁଳି କମିଛି, ହେଲେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବା ସହିତ ଉପକୂଳରେ ୩ ଦିନ ପର୍ୟ୍ୟନ୍ତ କାଳବୈଶାଖୀ ହେବାକୁ ଥିବାରୁ ଗୁଳୁଗୁଳିରୁ ମୁକ୍ତି ମିଳିବା ନେଇ ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ସମ୍ପୃକ୍ତ ଅଞ୍ଚଳରେ ଅନେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବାକୁ ଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଆଦି ଅଞ୍ଚଳରେ ତାପମାତ୍ର ଅଧିକ ରହିବ। ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ୧୧ ଟାରୁ ଅପରାହ୍ଣ ୩ ଟା ମଧ୍ୟରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।




admin 