ବିଜେପିର ହିଂସ୍ର ଆଚରଣ ନେଇ ବର୍ଷିଛି ବିଜେଡି

ବିଜେପିର ହିଂସ୍ର ଆଚରଣ ନେଇ ବର୍ଷିଛି ବିଜେଡି

ଭୁବନେଶ୍ୱର: ବିଜେପିର ହିଂସ୍ର ଆଚରଣ ନେଇ ବର୍ଷିଛି ବିଜେଡି ।  ସାରା ଦେଶରେ ଓଡ଼ିଶାକୁ ବଦନାମ କରିବାକୁ ବିଜେପି ମିଳିତ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ବିଜେପିର ଆଚରଣ ଓ ଉଚ୍ଚାରଣରେ ରହିଛି ଉସୁକାଇବା ପ୍ରବୃତ୍ତି । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ସାଢ଼େ ଚାରି କୋଟି ଲୋକ ଶାନ୍ତି ଚାହାଁନ୍ତି । ଏଠାକାର ଲୋକ ଅପରାଧକୁ ଭଲ ପାଆନ୍ତି ନାହିଁ । ହେଲେ ଆଶ୍ଚର୍ୟ୍ୟ, ଗତ କିଛି ବର୍ଷ ହେବ ଉପନିର୍ବାଚନ ସମୟରେ ବିଜେପି ହିଂସା ଉଦ୍ୟମ କରିଚାଲିଛି । 

ଝାରସୁଗୁଡ଼ା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାଁରେ ୧୨ଟି ମାମଲା ସମେତ ହତ୍ୟା ଉଦ୍ୟମ ମାମଲା ଅଛି । ପଦ୍ମପୁର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାଁରେ ୭ ମାମଲା ରହିଛି । ସେହିପରି ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ୟ୍ୟ ୧୪ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ୧୬ ମାମଲା ଅଛି । ଯାହାର କ୍ରାଇମ ରେକର୍ଡ ଯେତେ ଅଧିକ ସେମାନଙ୍କୁ ଦଳ ବାଛି ବାଛି ଆଣୁଛି । ବାରମ୍ବାର କୁହେଳିକା ସୃଷ୍ଟି କରୁଥିବା ବିଜେପି ସହ ରାଜ୍ୟବାସୀ ନାହାନ୍ତି । ଏହାର ଜବାବ ୨୦୧୯, ପୌର ଓ ପଂଚାୟତରେ ରାଜ୍ୟବାସୀ ଦେଇଛନ୍ତି ।

ଗତ ଦୁଇ ତାରିଖରେ ଜାଣିଶୁଣି ବିପ୍ର ବନଛୋର ଓ ସହଯୋଗୀ ବିଜେଡି ସମର୍ଥକ ଗୋବିନ୍ଦ ଝରଙ୍କୁ ଆକ୍ରମଣ କଲେ । ସେହିପରି ବିଧାୟିକା କୁସୁମ ଟେଟେ ଓ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ନିଜେ ଅପରାଧଙ୍କୁ ଆସନରେ ବସାଇ ଓଡ଼ିଶାର ଆଇନ ଶୃଙ୍ଖଳା ନେଇ କେମିତି ପ୍ରଶ୍ନ କରୁଛନ୍ତି ବୋଲି ପଚାରିଛି ବିଜେଡି । ପୂର୍ବ ପରି ଆଗାମୀ ଦିନରେ ବି ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି । ଓଡ଼ିଶାରେ ହିଂସା ଭିଆଇ ଉତ୍ତର ପ୍ରଦେଶ କରିବାକୁ ଚାହୁଁଛି ବିଜେପି । ଏହାକୁ ଉତ୍ତରପ୍ରଦେଶ, ଛତିଶଗଡ଼ ନକରିବାକୁ ଅନୁରୋଧ କରିଛି ବିଜେଡି । ହିଂସାରୁ କ୍ଷାନ୍ତ ରହିବାକୁ ନିବେଦନ କରିଛି ।  ଓଡ଼ିଶାକୁ ବଦନାମ କରିବାରୁ କ୍ଷାନ୍ତ ରହୁ ବିଜେପିକୁ ପରାମର୍ଶ ଦେଇଛି ବିଜେଡି ।