ଓଡ଼ିଶାକୁ ବାତ୍ୟା ନେଇ ସତର୍କ କରାଇଲେ ଏସଆରସି

ଓଡ଼ିଶାକୁ ବାତ୍ୟା ନେଇ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାନ ପରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ଅନ୍ୟ ବିଭାଗଗୁଡ଼ିକୁ ସତର୍କ ସୂଚନା ଜାରି କରିଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଳିଫ କମିଶନର ଏନେଇସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଆଇଏମଡି ଦ୍ୱାରା ଜାରି  ପାଣିପାଗ ବୁଲେଟିନ ଅନୁସାରେ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟ଼ ଆସନ୍ତାକାଲି ସୁଦ୍ଧା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଏକ ଲଘୁଚାପ ବଳୟ ରବିବାର ସୃଷ୍ଟି ହେବ, ଯାହାକି  ସୋମବାର ସୁଦ୍ଧା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ । ଏହା କ୍ରମଶଃ ଉତ୍ତର ଦିଗରେ ମଧ୍ୟ ବଙ୍ଗୋପାସଗରକୁ ଗତି କରିବ ।

ତେବେ ଲଘୁଚାପ ବଳୟ ସୃଷ୍ଟି ହେବା ପରେ ପରି ଏହାର ଗତି ଓ ଦିଗ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ । ଆଇଏମଡି ପକ୍ଷରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆଇଏମଡି ପକ୍ଷରୁ କେତେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ପୂର୍ବାନୁମାନ କରାଯାଇଛି । ଏହି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।