କାଳିମାଡ଼ ପାଇଁ କିଏ ଦାୟୀ?

କାଳିମାଡ଼ ପାଇଁ କିଏ ଦାୟୀ?

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କୁ ପୁରୀ ଜିଲ୍ଲାର ସତ୍ୟବାଦୀ କଲେଜ ପଡ଼ିଆଠାରେ ଏକ ସାଧାରଣ ସଭାକୁ ଯିବାବେଳେ କାଳିମାଡ଼ ହୋଇଛି ।ଏତେ କଡ଼ା ସୁରକ୍ଷା ମଧ୍ୟରେ ଥାଇ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଉପରକୁ ଯେଉଁ କାଳିମାଡ଼ ହେଲା, ସେଥିପାଇଁ କିଏ ଦାୟୀ ଓ କାହିଁକି ସୁରକ୍ଷାରେ ଏଭଳି ଗୁରୁତର ତ୍ରୁଟି ହେଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭଟି ସଚିବ ଶ୍ରୀ ପାଣ୍ଡିଆନ ସତ୍ୟବାଦୀ କଲେଜ ପଡ଼ିଆଠାରେ ଏକ ସାଧାରଣ ସଭା  ସଭାସ୍ଥଳକୁ ଯିବାବେଳେ ହିଁ ପଡ଼ିଆ ନିକଟରେ କଣାସ ଅଂଚଳର ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି କାଳିମାଡ଼ କରିଥିଲେ । ଲୋକଙ୍କ ଗହଳି ମଧ୍ୟରେ ଥାଇ ଶ୍ରୀ ସାହୁ ଯେଉଁ କାଳି ଫୋପାଡ଼ି ଥିଲେ ତାହା ଉଭୟ ଶ୍ରୀ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ଓ ଦେହରେ ପଡ଼ିଥିଲା । ଅବଶ୍ୟ କାଳିମାଡ଼ ପରେ ପୁଲିସ ସଙ୍ଗେସଙ୍ଗେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ଗିରଫ କରିଥିଲା । 
ସୂତ୍ର ଅନୁସାରେ ଶ୍ରୀ ପାଣ୍ଡିଆନ ଯେଉଁ ଜିଲ୍ଲା ଗସ୍ତରେ ଯାଇଥାନ୍ତି ତା’ର ପ୍ରାୟ ଏକ ସପ୍ତାହ ପୂର୍ବରୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାର ଟିକିନିଖି ତଦାରଖ କରିଥାନ୍ତି । ଏପରିକି ସମ୍ପୃକ୍ତ ଜିଲ୍ଲାର ଶାସକ ବିଜେଡିର ବିଧାୟକ ଓ ସାଂସଦ ବି ବନ୍ଦୋବସ୍ତର ତଦାରଖ କରି କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରୟାସ କରିଥାନ୍ତି । ଶ୍ରୀ ପାଣ୍ଡିଆନ ଯେଉଁ ଜିଲ୍ଲାକୁ ଯାଇଥାନ୍ତି ତାଙ୍କ ଗାଡ଼ିକୁ ପ୍ରାୟ ୧୨ରୁ ୧୫ଟି ଗାଡ଼ିରେ ସୁରକ୍ଷାକର୍ମୀ ଏସକର୍ଟ କରିଥାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ତାଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଜିଲ୍ଲାଗସ୍ତ ବେଳେ ଅଧିକ ସୁରକ୍ଷାଘେରରେ ଶ୍ରୀ ପାଣ୍ଡିଆନ ରହିଥାନ୍ତି । କଳାପୋଷାକ ପିନ୍ଧା ଘରୋଇ ସୁରକ୍ଷାକର୍ମୀମାନଙ୍କ ସମେତ ସାଦା ପୋଷାକଧାରୀ ପୁଲିସ, ଜିଲ୍ଲା ପୁଲିସ, ରାଜ୍ୟ ପୁଲିସର ସ୍ୱତନ୍ତ୍ର ବାହିନୀ ଉପସ୍ଥିତ ରହି ସୁରକ୍ଷା ଯୋଗାଇ ଦେଇଥାନ୍ତି। ପୁଲିସ ଏସପି ଓ ସମ୍ପୃକ୍ତ ରେଞ୍ଜ ଡିଆଇଜି ଓ ଆଇଜି ମଧ୍ୟ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥାନ୍ତି । ପାଣ୍ଡିଆନଙ୍କ କାର୍ୟ୍ୟକ୍ରମରେ ପ୍ରାୟ ୨୦୦ ସୁରକ୍ଷାକର୍ମୀ ମୁତୟନ ରହୁଛନ୍ତି । ଏପରିକି ପୁଲିସ ମଧ୍ୟ ନିଜର ଗୁଇନ୍ଦା ନେଟୱାର୍କ ମାଧ୍ୟମରେ ବିଶୃଙ୍ଖଳାର ସାମାନ୍ୟ ଆଭାସ ପାଇଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆଗୁଆ ଅଟକ ରଖିବାର ଉଦାହରଣ ରହିଛି । ଯଦି ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲା, ତା’ହେଲେ ସମ୍ପୃକ୍ତ ବ୍ୟକ୍ତି କିଭଳି ଏତେ ପରିମାଣର କାଳି ଥିବା ବୋତଲ ଧରି ପାଣ୍ଡିଆନଙ୍କ ସଭାକୁ ଆସିଥିଲା? କାହିଁକି ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମୀମାନେ ତାଙ୍କୁ ଅଟକାଇ ନଥିଲେ? ସୁରକ୍ଷା ଦୃଷ୍ଟିରୁ ସଭା ସ୍ଥଳକୁ ଆସୁଥିବା ଲୋକମାନଙ୍କର ଯାଂଚ ହେଉଥିଲା କି ନାହିଁ? ଗତ କିଛିବର୍ଷ ଧରି ପାଣ୍ଡିଆନଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଉଥିବାବେଳେ ତାଙ୍କ ଉପରକୁ କାଳିମାଡ଼ ବେଳେ ସୁରକ୍ଷାକର୍ମୀ କାହିଁକି ତତ୍ପରତା ଦେଖାଇଲେ ନାହିଁ? କାଳି ବଦଳରେ ଯଦି ଅନ୍ୟ କିଛି ଘାତକ ପଦାର୍ଥ ଥାଆନ୍ତା ତା’ହେଲେ ପରିସ୍ଥିତି କ’ଣ ହୋଇଥାନ୍ତା? ଏତେ ବଡ଼ ସୁରକ୍ଷାଜନିତ ତ୍ରୁଟି ପାଇଁ କିଏ ଦାୟୀ?