ହସ୍ପିଟାଲକୁ ନିଜେ ଆସିଲା ହନୁ, ଅପରେସନ ପରେ ଗଲା
ହସ୍ପିଟାଲକୁ ନିଜେ ଆସିଲା ହନୁ, ଅପରେସନ ପରେ ଗଲା
ଭୁବନେଶ୍ୱର:ଛୋଟ ଘଟଣାଟି, କିନ୍ତୁ ସଭିଙ୍କୁ ଚକିତ କଲା ଭଳି କଥା। ଅସୁସ୍ଥ ହେବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ହନୁ ମାଙ୍କଡ଼ଟି ନିଜେ ବାହାରିଲା ନିଜର ଚିକିତ୍ସା କରାଇବା ପାଇଁ, ଖୋଜି ଖୋଜି ପହଁଚିଲା ପଶୁ ଡାକ୍ତରଖାନାରେ। ତାହା ପୁଣି ଉଦଘାଟନ ହେବାକୁ ଥିବା ପଶୁ ଡାକ୍ତରଖାନାରେ ପହଁଚିଲା ମାଙ୍କଡ଼ଟି। ଖୋଜି ଖୋଜି ଡାକ୍ତରଙ୍କ ପାଖେ ବସିଲା, ଡାକ୍ତରଙ୍କ ହାତ ଧରି କାଲୁବାଲୁ ହୋଇ ଛଳଛଳ ଆଖିରେ ଚାହିଁଲା। ଶେଷରେ ଡାକ୍ତର ବୁଝିପାରିଲେ ତା ଯନ୍ତ୍ରଣାକୁ। ରୋଗ ଜାଣି ଅପରେସନ କରାଗଲା, ଆଉ ପ୍ରଥମ ରୋଗୀ ଭାବେ ସେ ପଶୁ ଡାକ୍ତରଖାନାରେ ଚିକିତ୍ସିତ ହେଲା ମାଙ୍କଡ଼ଟି।
ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟର ଉଦଘାଟନବେଳର କଥାଟି। ଫିତାକଟା ଆଗରୁ ଅଚାନକ ପାଖ ଗଛରୁ ଡେଇଁ ଚାଲି ଆସିଲା ହନୁ ମାଙ୍କଡ଼ଟିଏ । ଭିତରକୁ ପଶି ଆସିଲା । ଡରିଗଲେ ସମସ୍ତେ । ହେଲେ ସେ ଚୁପଚାପ ଆସି ବସିଗଲା ଗୋଟିଏ ଚେୟାର ଉପରେ । ମଝିରେ ଖେଁ ଖେଁ ହେଉଥିଲା । ପ୍ରଥମେ ଡରରେ କେହି ପାଖକୁ ଗଲେନି। ହେଲେ ଯେତେବେଳେ ଡାକ୍ତର ତା’ ପାଖକୁ ଗଲେ ସେତେବେଳେ ବିକଳରେ ହନୁଟିଏ ତାଙ୍କ ହାତକୁ ଧରିନେଲା । ନା ଆକ୍ରମଣ କଲା ନା କିଛି କ୍ଷତି ପହଞ୍ଚାଇଲା । ବିସ୍କୁଟ, କଦଳୀ ଯାହା ଦେଲେ ବି ଖାଇଲାନି । ଫିଙ୍ଗି ଦେଲା । କେହି କିଛି ବୁଝିପାରିଲେନି । ହନୁଟିଏର ଏଭଳି ଗତିବିଧି ବେଶ୍ ଆଶ୍ଚର୍ଯ୍ୟ କରିଥିଲା ସଭିଙ୍କୁ ।
ଶେଷରେ ପଶୁ ଚିକିତ୍ସକ ତା’ର ଶରୀରକୁ ଅନୁଧ୍ୟାନ କରିବାରୁ ହନୁର ଲିଙ୍ଗରେ କିଛି ସମସ୍ୟା ଥିବା ଜାଣିବାକୁ ପାଇଲେ । ଏଥିପାଇଁ ହିଁ ମାଙ୍କଡ଼ ଯନ୍ତ୍ରଣା ପାଉଥିବା ଜଣାପଡ଼ିଲା । ଉଦଘାଟନ ସହ ହନୁର ଚିକିତ୍ସା ଆରମ୍ଭ ହେଲା । ଟ୍ରାଙ୍କୁଲାଇଜ କରାଗଲା ପରେ ଅସ୍ତ୍ରୋପଚାର ହେଲା । ସୁସ୍ଥ ହେବା ପରେ ହନୁଟି ହସ୍ପିଟାଲରୁ ଆପେ ଆପେ ପଳାଇଥିଲା । ସତେ ଯେମିତି କେହି ତାକୁ ଏ ଠିକଣା ଦେଇ ରୋଗରୁ ମୁକ୍ତି ପାଇବାର ବାଟ ବତେଇ ଦେଇଥିଲା ।




admin 