ରବିବାର ଚିଲିକାରେ ଡଲଫିନ୍ ଗଣନା ଶେଷ, ଦେଖାଦେଲେ ୧୪୬ ଇରାୱାଡି ଡଲଫିନ୍‌

ରବିବାର ଚିଲିକାରେ ଡଲଫିନ୍ ଗଣନା ଶେଷ, ଦେଖାଦେଲେ ୧୪୬ ଇରାୱାଡି ଡଲଫିନ୍‌

 ରବିବାର ଚିଲିକାରେ ଡଲଫିନ୍ ଗଣନା ଶେଷ, ଦେଖାଦେଲେ ୧୪୬ ଇରାୱାଡି ଡଲଫିନ୍‌
ଭୁବନେଶ୍ୱର/ ବ୍ରହ୍ମଗିରି:ଚିଲିକା ହ୍ରଦରେ ବାର୍ଷିକ ଇରୱାଡି ଡଲଫିନ୍ ଗଣନା ରବିବାର ଶେଷ ହୋଇଛି । ଗଣନା ବେଳେ ୧୪୬ଟି ଡଲଫିନ୍ ଦେଖାଯାଇଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ସୂତ୍ରରୁ ଜଣାପଡ଼ିଛି । ଚିଲିକାରେ ୧୬୦ ରୁ ଅଧିକ ଇରୱାଡି ଡଲଫିନ୍‌ଥିବାର ସମ୍ଭାବନା ରହିଛି । ଗଣନା ବେଳେ ବହୁ ଡଲଫିନ୍ ପାଣି ଭିତରେ ଥାଇପାରନ୍ତି । ତେଣୁ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶା ରହିଛି । ଗଣନାର ତଥ୍ୟ ବିଶ୍ଲେଷଣ ପରେ ଚିଲିକାରେ ବୟସ୍କ ଓ ଛୁଆ ଡଲଫିନ୍‌ଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ସିଡିଏ ପକ୍ଷରୁ କୁହାଯାଇଛି । ଚିଲିକାର କେନ୍ଦ୍ରୀୟ ଓ ଦକ୍ଷିଣ ସେକ୍ଟରରେ ଅଧିକ ସଂଖ୍ୟାରେ ଡଲଫିନ୍ ରହୁଥିବା ଜଣାପଡ଼ିଛି । କାରଣ କାଳିଜାଇ ଓ ରମ୍ଭା ନିକଟରେ ପ୍ରଶାସନ ପକ୍ଷରାୁ ସେଥିପାଇଁ ଇରୱାଡି ଡଲଫିନ୍ ଏହି ଅଞ୍ଚଳରେ ଅଧିକ ଠୁଳ ହେଉଛନ୍ତି । ଗଣନା ବେଳେ ଆଉ ଗୋଟିଏ ତଥ୍ୟ ପଦାକୁ ଆସିଛି । ଇରୱାଡି ଡଲଫିନ୍ ଗୁଡ଼ିକ ସାତପଡ଼ା ଠାରୁ ଚିଲିକାର ଅନ୍ୟ ଆଡ଼କୁ ଯାଉଥିବା ଦେଖାଯାଇଛି । ଗତବର୍ଷ ଗଣନା ବେଳେ ଚିଲିକାରେ ୧୧୩ଟି ଇରୱାଡି ଡଲଫିନ୍ ଦେଖାଯାଇଥିଲେ । କିନ୍ତୁ ସିଡିଏ ପକ୍ଷରୁ ଡଲଫିନ୍‌ଙ୍କ ପ୍ରକୃତ ସଂଖ୍ୟା ୧୬୨ ବୋଲି ପ୍ରକାଶ କରାଯାଇଥିଲା । ବାଲୁଗାଁ, ଚିଲିକା, ନୂଆପଡ଼ା, ସାତପଡ଼ା, ରମ୍ଭା, ବରକୂଳ ଆଦି ଚିଲିକାର ୫ଟି ରେଞ୍ଚରେ ୧୮ଟି ଟିମ୍ ଦ୍ୱାରା ଡଲଫିନ୍ ଗଣନା ହୋଇଛି । ସାତପଡ଼ା ଚିଲିକାର ୫ଟି ସେକ୍ଟର ନଦର୍ଣ୍ଣ ସେକ୍ଟର ଓ ସେଣ୍ଟ୍ରାଲ ସେକ୍ଟର ସମେତ ୪ଟି ଜୋନରେ ବିଭକ୍ତ କରାଯାଇଛି । ୮ଟି ଟିମ୍ ଦ୍ୱାରା ଗଣନା କରାଯାଇଛି । ହାଇଡ୍ରୋଫୋନ, ଲାଇନ ଟ୍ରାଞ୍ଜିଟ ପଦ୍ଧତି ଓ ଗ୍ଲୋବାନଏ ପୋଜିସନିଂ ସିଷ୍ଟମ (ଜିପିଏସ)ରେ ଏହି ଗଣନା କରାଯାଇଛି । ରବିବାର ସକାଳ ୬ଟାରୁ ଡିସିଏଫ ପ୍ରଦୀପ କୁମାର ସାହୁ, ସାତପଡ଼ା ରେଞ୍ଜ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀ, ବନବିଭାଗ ଅଧିକାରୀ, ଓୟୁଏଟି ପ୍ରଫେସର, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ପରିବେଶବିତ, ସ୍ଥାନୀୟ ମୋଟର ବୋଟ ସଂଘର କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ । ଅନୁକୂଳ ପାଗ ଥିବାରୁ ଅପରାହ୍ନ ୧ଟାରେ ଗଣନା ଶେଷ ହୋଇଥିଲା ବୋଲି ଡିସିଏଫ ପ୍ରଦୀପ କୁମାର ସାହୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଦେଶାଗତ ପକ୍ଷୀଙ୍କ କାକଳି ସହ ଇରାୱାଡି ଡଲଫିନଙ୍କ ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହାକୁ ଭୁଆଶୁଣୀ ମଗର ବୋଲି କେତେକ କହିଥାନ୍ତି । ପ୍ରତିବର୍ଷ ଚିଲିକାରେ ପକ୍ଷୀଗଣନା ମଧ୍ୟ ହୋଇଥାଏ । ଇରାୱାଡି ଡଲଫିନ୍ ଚିଲିକା ହ୍ରଦ ବ୍ୟତୀତ ବାଂଲାଦେଶର ସୁନ୍ଦରବନ, ଲାଓସ ଓ କାମ୍ପୋଡିଆରେ ମେକଙ୍ଗ ନଦୀ, ଇଣ୍ଡୋନେସିଆର ମହକାମ ନଦୀ, ଫିଲିପାଇନ୍ସ, ମିଆଁମାରରେ ଏରୱାଡି ନଦୀ ଓ ଥାଇଲାଣ୍ଡର ସଙ୍ଖଲା ନଦୀରେ ଦେଖାଯାଆନ୍ତି ।