୧୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ
୧୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ
ଯାଜପୁର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମହାଦେବ ଗାଁରେ ଏକ ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ଅପରାହ୍ଣ ଗୋଟାଏ ବେଳେ ପୁଲିସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣା ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନକଲି ନୋଟ୍ କାରବାର ଚାଲିଥିବା ନେଇ ପୁଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା। ଏନେଇ ପୁଲିସ୍ ଖୋଳତାଡ଼ କରୁଥିଲା। କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ବିଳମ୍ବିତ ରାତିରେ ଟାଉନ୍ ଥାନା ପୁଲିସ୍ ମହାଦେବ ଗାଁରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ପାଖରୁ ସେମାନେ ୧୩ ଲକ୍ଷ ଟଙ୍କା ଜବତ କରିଥିଲେ। ଅଭିଯୁକ୍ତ ସେଠାରେ ଘର ଭଡ଼ା ନେଇ ରହୁଥିଲା।
ଅଭିଯୁକ୍ତ ପାଖରୁ କେତେ ଟଙ୍କିଆ ଜାଲ୍ ନୋଟ୍ ଜବତ କରାଯାଇଛି, ଟଙ୍କା ଛାପିବା ପାଇଁ ସେଠାରେ ମେସିନ୍ ଥିଲା କି ନାହିଁ ତଥା ତା’ ସହିତ ଆଉ କେଉଁମାନେ ଏହି ବେଆଇନ କାରବାରରେ ଲିପ୍ତ ଥିଲେ, ସେ ନେଇ ପୁଲିସ୍ ପକ୍ଷରୁ କିଛି କୁହାଯାଇ ନାହିଁ। ଆଉ କିଛି ଘଣ୍ଟା ପରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦିଆଯିବ ବୋଲି କୁହାଯାଉଛି।




admin 