ୟୁଟ୍ୟୁବ୍ ଖପ୍ପା, ଶିକ୍ଷକ ମାନୁ ନାହାନ୍ତି ପାଠପଢ଼ାରେ କପିରାଇଟ୍ ନିୟମ
ୟୁଟ୍ୟୁବ୍ ଖପ୍ପା, ଶିକ୍ଷକ ମାନୁ ନାହାନ୍ତି ପାଠପଢ଼ାରେ କପିରାଇଟ୍ ନିୟମ
ଭୁବନେଶ୍ୱର : ୟୁଟ୍ୟୁବ୍ରେ ପାଠ ପଢ଼ାଉଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ କପିରାଉଟ୍ ନିୟମ ମାନୁ ନାହାନ୍ତି। ଏହାକୁ ନେଇ ୟୁଟ୍ୟୁବ୍ ଟିମ୍ ଖପ୍ପା ହୋଇଛି। କାର୍ୟ୍ୟାନୁଷ୍ଠାନ ବି ନେଇଛି। ଏଭଳି ନକରିବାକୁ ତାଗିଦ୍ ମଧ୍ୟ କରିଛି। କରୋନା ଯୋଗୁଁ କ୍ଲାସ୍ରୁମ୍ ପାଠପଢ଼ା ସମ୍ଭବ ନହେବାରୁ ପ୍ରଥମରୁ ଦଶମ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍ରେ ଶିକ୍ଷାଦାନ କରାଯାଉଛି । ଅଢେ଼ଇ ମାସ ହେଲା ଦିନକୁ ୪ ଘଣ୍ଟା ଲେଖାଏଁ କ୍ଲାସ ଚାଲିଥିଲେ ମଧ୍ୟ ଏପର୍ୟ୍ୟନ୍ତ ଆଶାନୁରୂପ ସଫଳତା ମିଳିପାରି ନାହିଁ । ସହରାଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ୟୁଟ୍ୟୁବ୍ରେ ପାଠ ପଢ଼ୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସେତେଟା ସଫଳ ହୋଇନି। ଏବେ ସୁଦ୍ଧା ଆହୁରି ୭୦% ଛାତ୍ରଛାତ୍ରୀ ୟୁଟ୍ୟୁବ୍ରେ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ୟୁଟୁ୍ୟବରେ ପଢ଼ାଉଥିବା ଶିକ୍ଷକମାନଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ । ଯେଉଁ ଶିକ୍ଷକମାନେ ପିଲାଙ୍କୁ ୟୁଟ୍ୟୁବ୍ରେ ଶିକ୍ଷାଦାନ କରୁଛନ୍ତି; ସେମାନେ ଅନ୍ୟମାନଙ୍କ ତଥ୍ୟ ଚୋରାଉଛନ୍ତି । ଅର୍ଥାତ ଅନ୍ୟ କୌଣସି ଶିକ୍ଷକ, ଶିକ୍ଷାବିତଙ୍କ ଦ୍ୱାରା ପୂର୍ବରୁ ଅପଲୋଡ କରାଯାଇଥିବା ବିଷୟବସ୍ତୁକୁ କପି କରି ପିଲାଙ୍କୁ ପଢ଼ାଉଛନ୍ତି । ଯେଉଁଥିରେ ଅଡିଓ ଭିଜୁଆଲ କ୍ଲିପ, ଭିଡିଓ, ଆନିମେସନ, ଫଟୋ ଆଦି ରହିଛି । ତାହାକୁ ନେଇ ୟୁଟୁ୍ୟବ ଟିମ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ନ କରିବାକୁ ତାଗିଦ କରିଛି । ଶିକ୍ଷକମାନଙ୍କ ଦ୍ୱାରା କପି ରାଇଟ ଉଲ୍ଲଂଘନ କରି ପ୍ରଦର୍ଶନ କରାଯାଇଥିବା ଏମିତି କିଛି ବିଷୟବସ୍ତୁକୁ ୟୁଟୁ୍ୟବ ଡିଲିଟ କରିଦେଇଥିବା ଜଣାପଡ଼ିଛି । ୟୁଟୁ୍ୟବ ଟିମ ପକ୍ଷରୁ କୁହାଯାଇଛି ଯେ ଲାଇଭ ଷ୍ଟ୍ରିମିଂ କ୍ଲାସଗୁଡ଼ିକ ୟୁଟୁ୍ୟବ ନୀତିର ଉଲ୍ଲଂଘନ କରୁଛି । ନିୟମକୁ ଠିକ ଭାବେ ପାଳନ କରାଯାଉ ନାହିଁ । କେତେକ କ୍ଷେତ୍ରରେ କପି ରାଇଟ ବା ସତ୍ତ୍ୱାଧିକାର ଆଇନକୁ ବି ଶିକ୍ଷକ ଶିକ୍ଷୟିତ୍ରୀ ଖାତିର କରି ନ ଥିବା ନଜରକୁ ଆସିଛି । ବିଶେଷକରି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅଧିକ ପରିମାଣରେ କପିରାଇଟ ଉଲ୍ଲଂଘନ ହୋଇଛି । ୟୁଟୁ୍ୟବଠାରୁ ନୋଟିସ ପାଇବା ପରେ ଓସେପା ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ହସ୍ତକ୍ଷେପ ଲୋଡ଼ା ଯାଇଥିଲା । ଆଗକୁ ଯେପରି ଏଭଳି ତ୍ରୁଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପରାମର୍ଶ ଦିଆଯାଇଛି । କପି ରାଇଟ ଅଧୀନରେ ଆସୁଥିବା କଣ୍ଟେଣ୍ଟ/ତୃତୀୟ ପକ୍ଷ କଣ୍ଟେଣ୍ଟକୁ ବ୍ୟବହାର ନ କରିବାକୁ ଶିକ୍ଷକଙ୍କୁ ପରାମର୍ଶ ଦେବାକୁ ଡିଇଓମାନଙ୍କୁ କୁହାଯାଇଛି ।
ସୂଚନା ଅନୁଯାୟୀ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ୟୁଟ୍ୟୁବ୍ରେ ଯୋଡ଼ି ହୋଇଥିବାବେଳେ ବାକି ୮ଟି ଶ୍ରେଣୀରେ ୧୦ ଲକ୍ଷ ପିଲା ସାମିଲ ହୋଇ ଶିକ୍ଷା ଗ୍ରହଣ କରୁଛନ୍ତି । ପ୍ରାଥମିକ ଶ୍ରେଣୀର ବହୁ ପିଲା ୟୁଟୁ୍ୟବ ଶିକ୍ଷାରୁ ଏବେ ବି ବଞ୍ଚିତ ହେଉଛନ୍ତି । ଏକ ନିର୍ଦ୍ଧିଷ୍ଟ ବିଷୟର କ୍ଲାସ ଚାଲିଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ହାରାହାରି ୬୫ ହଜାର ପିଲା ୟୁଟୁ୍ୟବ ଦେଖୁଛନ୍ତି । ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ବହୁ କମ ସଂଖ୍ୟକ ପିଲା ୟୁଟ୍ୟୁବ୍ରେ ପଢ଼ୁଛନ୍ତି ।




admin 