ହିନ୍ଦୀ ବିବାଦ, ଅଜୟ ଦେବଗନଙ୍କ ବିରୋଧରେ ଏକ ହେଲେ କର୍ଣ୍ଣାଟକର ସବୁ ଦଳ

ହିନ୍ଦୀ ବିବାଦ, ଅଜୟ ଦେବଗନଙ୍କ ବିରୋଧରେ ଏକ ହେଲେ କର୍ଣ୍ଣାଟକର ସବୁ ଦଳ

ହିନ୍ଦୀ ବିବାଦ, ଅଜୟ ଦେବଗନଙ୍କ ବିରୋଧରେ ଏକ ହେଲେ କର୍ଣ୍ଣାଟକର ସବୁ ଦଳ

ବେଙ୍ଗାଲୁରୁ: ହିନ୍ଦୀ ଭାଷାକୁ ନେଇ ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଓ କନ୍ନଡ଼ ଅଭିନେତା କିଚ୍ଚା ସୁଦୀପଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ରାଜନୈତିକ ରୂପ ନେବାକୁ ଯାଉଛି।  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଏ ନେଇ ସୁଦୀପଙ୍କ ପକ୍ଷ ନେଇଛନ୍ତି। ସେ କହିଛନ୍ତି ଭାଷା ଭିତ୍ତିରେ ଆମ ରାଜ୍ୟ ଗଠିତ ହୋଇଛି। ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯାଇ ଆସୁଛି। ସୁଦୀପଙ୍କ ବକ୍ତବ୍ୟ ଠିକ୍ ଓ ସମସ୍ତେ ତାକୁ ସମ୍ମାନ କରିବା ଉଚିତ। ଏହା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ହିନ୍ଦୀ କେବେ ବି ଆମର ରାଷ୍ଟ୍ରଭାଷା ନ ଥିଲା କି ଭବିଷ୍ୟତରେ ହୋଇପାରିବ ନାହିଁ ବୋଲି କହିଥିଲେ। 

 ସୁଦୀପ କେଜିଏଫ୍-୨କୁ ଏକ ସର୍ବଭାରତୀୟ ଚଳଚ୍ଚିତ୍ର ଭାବେ ଅଭିହିତ କରାଯିବା ସମ୍ପର୍କିତ ଏକ ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ ତାହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା। ସେ କହିଥିଲେ ଯେ ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ଏବଂ ବଲିଉଡ ସାରା ଦେଶ ପାଇଁ ଫିଲ୍ମ ତିଆରି କରିବା ଉଚିତ, ଅର୍ଥାତ୍ ସେମାନଙ୍କ ଫିଲ୍ମଗୁଡ଼ିକୁ ଅନ୍ୟ ଭାଷାରେ ଡବିଂ କରାଯିବା ଦରକାର। ଏହାର ଉତ୍ତରରେ ଅଜୟ ଦେବଗନ ହିନ୍ଦୀରେ ଟ୍ବିଟ୍ କରି କହିଥିଲେ, ହିନ୍ଦୀ ଯଦି ରାଷ୍ଟ୍ରଭାଷା ନୁହଁ ତା’ହେଲେ କନ୍ନଡ଼ ଫିଲ୍ମକୁ କାହିଁକି ହିନ୍ଦୀରେ ଡବିଂ କରାଯାଉଛି।  ହିନ୍ଦୀ ଆମର ମାତୃଭାଷା ଓ ରାଷ୍ଟ୍ରଭାଷା ଥିଲା, ଅଛି ଓ ରହିବ। 

ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍ଡି କୁମାରସ୍ବାମୀ ସୁଦୀପଙ୍କ ପଟରେ ବାହାରିପଡ଼ିଲେ। ସେ କହିଲେ ଯେ ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ ବୋଲି ସୁଦୀପ ଯାହା ଲେଖିଛନ୍ତି ତାହା ଠିକ୍। ଶେଷରେ ଓମାର ଅବଦୁଲ୍ଲା ଟ୍ବିଟ୍ କରିଥିଲେ ଯେ ଭାରତ ସବୁ ଭାଷାକୁ ସମ୍ମାନ ଦିଏ। ଗୋଟିଏ ଭାଷାକୁ କାହିଁକି ରାଷ୍ଟ୍ରଭାଷା ଭାବେ ଆମେ ମାନିବା ବୋଲି ସେ କହିଛନ୍ତି।