ସ୍ୱାମୀ ଟଙ୍କାରେ କେବଳ ପ୍ରଥମ ସ୍ତ୍ରୀର ଅଧିକାର, ବମ୍ବେ ହାଇକୋର୍ଟଙ୍କ ରାୟ

ସ୍ୱାମୀ ଟଙ୍କାରେ କେବଳ ପ୍ରଥମ ସ୍ତ୍ରୀର ଅଧିକାର, ବମ୍ବେ ହାଇକୋର୍ଟଙ୍କ ରାୟ

ସ୍ୱାମୀ ଟଙ୍କାରେ କେବଳ ପ୍ରଥମ ସ୍ତ୍ରୀର ଅଧିକାର, ବମ୍ବେ ହାଇକୋର୍ଟଙ୍କ ରାୟ
ମୁମ୍ବାଇ: ଯଦି ଜଣେ ବ୍ୟକ୍ତିଙ୍କର ଦୁଇଟି ପତ୍ନୀ ଥିବେ ଏବଂ ସେମାନେ ସ୍ୱାମୀଙ୍କ ଟଙ୍କା ଉପରେ ନିଜର ହକ ଜାହିର କରୁଥିବେ ତେବେ ସେଭଳି କ୍ଷେତ୍ରରେ ସ୍ୱାମୀଙ୍କ ଟଙ୍କା ଉପରେ କେବଳ ପ୍ରଥମ ସ୍ତ୍ରୀର ଅଧିକାର ରହିବ । ଦ୍ୱିତୀୟ ପତ୍ନୀଙ୍କର କୌଣସି ଅଧିକାର ରହିବ ନାହିଁ । କିନ୍ତୁ ଦ୍ୱିତୀୟ ପତ୍ନୀଙ୍କର ପିଲାମାନଙ୍କ ଅଧିକାର ଟଙ୍କା ଉପରେ ରହିବ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ବିଚାରପତି ଏସ.ଜେ କଠୱାଲା ଓ ବିଚାରପତି ମାଧବ ଜାମଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ଅବସରରେ ମୌଖିକ ଭାବେ ଏହି ମତାମତ ଦେଇଛନ୍ତି । ପୂର୍ବରୁ ହାଇକୋର୍ଟର ଔରଙ୍ଗବାଦ ବେଞ୍ଚର ଏକ ପୂର୍ଣ୍ଣକାଳୀନ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ସୂଚନା ଅନୁସାରେ ମହାରାଷ୍ଟ୍ର ରେଲୱେ ପୁଲିସରେ କାର୍ଯ୍ୟରତ ସୁରେଶ ହଟଙ୍କର ନାମକ ଜଣେ ଏଏସଆଇଙ୍କର ଗତ ମେ ୩୦ରେ କରୋନା ସଂକ୍ରମଣ ଯୋଗୁଁ ମୃତୁ୍ୟ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା କ୍ଷତିପୂରଣ ବାବଦକୁ ତାଙ୍କ ପରିବାରକୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ଥିଲା । ତେବେ ମୃତ ଏଏସଆଇଙ୍କ ଦୁଇ ଜଣ ପତ୍ନୀ ଏହି କ୍ଷତିପୂରଣ ଟଙ୍କା ପାଇବା ଲାଗି ଦାବି କରିଥିଲେ । ଏପରିକି ଏଏସଆଇଙ୍କ ଦ୍ୱିତୀୟ ପତ୍ନୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହିଭଳି ଦ୍ୱିତୀୟ ପତ୍ନୀଙ୍କ ଝିଅ ଶ୍ରଦ୍ଧା ମଧ୍ୟ ତାଙ୍କ ପିତାଙ୍କ କ୍ଷତିପୂରଣ ଟଙ୍କାକୁ ତାଙ୍କୁ ସମାନ ଭାଗ ଦେବାକୁ ବମ୍ବେ ହାଇକୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ ପିତା ଜୀବିତ ଥିବା ବେଳେ ସେମାନଙ୍କ ଚଳିବା ଲାଗି ଟଙ୍କା ଦେଇଥିଲେ । କିନ୍ତୁ ପିତାଙ୍କ ମୃତୁ୍ୟ ପରେ ସେମାନେ ଅସହାୟ ହୋଇପଡ଼ିଛନ୍ତି । ତେବେ ଭିଡିଓ କନଫରେନ୍ସିଂ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ଜ୍ୟୋତି ଚୌହାନ କହିଥିଲେ କି ସରକାର କୋର୍ଟରେ ଏହି ଟଙ୍କା ଜମା କରିଦେବେ । ଯାହା ସପକ୍ଷରେ ରାୟ ଯିବ ତାଙ୍କୁ ହିଁ ଟଙ୍କା ପ୍ରଦାନ କରାଯିବ । କୋର୍ଟ କହିଥିଲେ ଯେ ଆଇନ ଅନୁସାରେ ଦ୍ୱିତୀୟ ପତ୍ନୀ କ୍ଷତିପୂରଣ ଟଙ୍କା ପାଇବା ଲାଗି ହକଦାର ନୁହନ୍ତି । କିନ୍ତୁ ଦ୍ୱିତୀୟ ପତ୍ନୀଙ୍କ ଛିଅ ଏବଂ ପ୍ରଥମ ପତ୍ନୀ ଓ ତାଙ୍କ ଝିଅ କ୍ଷତିପୂରଣ ପାଇପାରିବେ । ଶୁଣାଣି ସମୟରେ ମୃତ ଏଏସଆଇଙ୍କ ପ୍ରଥମ ପତ୍ନୀ ସୁଭଦା ଓ ତାଙ୍କ ଝିଅ ସୁରଭି ଦର୍ଶାଇଥିଲେ କି ଦ୍ୱିତୀୟ ବିବାହ କଥା ସେମାନେ ଆଦୌ ଜାଣିନାହାନ୍ତି । ମାତ୍ର ଶ୍ରଦ୍ଧାଙ୍କ ଓକିଲ ସେମାନଙ୍କ ଏହି ଯୁକ୍ତିକୁ ଖଣ୍ଡନ କରିଥିଲେ । କହିଥିଲେ ପ୍ରଥମ ପତ୍ନୀ ଓ ତାଙ୍କ ଝିଅ ଦ୍ୱିତୀୟ ବିବାହ କଥା ଜାଣିଥିଲେ ଏବଂ ଫେସବୁକରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ମଧ୍ୟ ଥିଲା ।