ସାଇକେଲରେ ସଂସଦକୁ ଆସିଲେ ସାଂସଦ

ସାଇକେଲରେ ସଂସଦକୁ ଆସିଲେ ସାଂସଦ

ସାଇକେଲରେ ସଂସଦକୁ ଆସିଲେ ସାଂସଦ
ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ପହଞ୍ଚିବା ବେଳେ ଏହାର ସମାଧାନ ଦିଗରେ ସାଧାରଣ ଲୋକଙ୍କୁ ସଚେତନ କରିବା ଲାଗି ସୋମବାର ସାଂସଦ ଓ ମନ୍ତ୍ରୀମାନେ ମୁହଁରେ ମାସ୍କ ଲଗାଇ ସାଇକେଲ ଓ ବୈଦୁ୍ୟତିକ କାର ଚଳାଇ ସଂସଦରେ ପହଞ୍ଚିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏକ ବୈଦୁ୍ୟତିକ କାର ଯୋଗେ ସଂସଦକୁ ଆସିଥିଲେ । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମ କରିବା ଲାଗି ଅଞ୍ଚଳବାସୀ ବୈଦୁ୍ୟତିକ କାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ସେ ଏହି ଅବସରରେ ଆହ୍ୱାନ ଦେଇଛନ୍ତି । ସରକାର ମଧ୍ୟ ପ୍ରଦୂଷଣ ରହିତ ବୈଦୁ୍ୟତିକ କାର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରିବା ଦିଗରେ ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି । କଂଗ୍ରେସ ସାଂସଦ ଗୌରବ ଗୋଗଇ ମୁହଁରେ ମାସ୍କ ପିନ୍ଧି ସଂସଦ ପରିସରସ୍ଥ ମହାତ୍ମା ଗାନ୍ଧି ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ସାଂସଦ ମନସୁଖ ମଣ୍ଡଭିୟ ହଂସରାଜହଂସ, ରବି କିଶନ ଓ ମନୋଜ ତିୱାରୀ ପ୍ରମୁଖ ସାଇକେଲ ଚଲାଇ ସଂସଦକୁ ଆସିଥିଲେ । ଦିଲ୍ଲୀ ପ୍ରଦୂଷଣ ସମ୍ବନ୍ଧରେ ମଙ୍ଗଳବାର ସଂସଦରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ସୋମବାରଠାରୁ ସହରରେ ପ୍ରଦୂଷଣ ଧୀରେ ଧୀରେ କମୁଥିବା ଜଣାପଡ଼ିଛି । ଆଗାମୀ ଦିନରେ ଯୁଗ୍ମ ଅଯୁଗ୍ମ ନିୟମ ଆଉ ବୃଦ୍ଧି କରିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ।