ଶୂନ୍ୟରୁ ଖସୁଛି ମୃତ୍ୟୁ
ଶୂନ୍ୟରୁ ଖସୁଛି ମୃତ୍ୟୁ
୫ ବର୍ଷରେ ନେଲାଣି ୧୬୨୧ ଜୀବନ
ଭୁବନେଶ୍ୱର: ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଉଛି ଜୀବନ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତ କାରଣରୁ ୧୬୨୧ ଲୋକ ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଲୋକ ମୃତୁ୍ୟବରଣ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାରେ ।
ଓଡ଼ିଶା ପାଇଁ କାଳ ସାଜିଛି ପ୍ରାକୃତିକ ବିପର୍ଯ୍ୟୟ । ବନ୍ୟା, ବାତ୍ୟାଠାରୁ ବେଶି ଭୟାନକ ବଜ୍ରପାତ । ୨୦୧୭-୧୮ରୁ ୨୦୨୧-୨୨ ବର୍ଷ ମଧ୍ୟରେ ବଜ୍ରପାତ କାରଣରୁ ମୟୂରଭଞ୍ଜରେ ସର୍ବାଧିକ ୧୬୧, ଗଞ୍ଜାମରେ ୧୨୩, କେନ୍ଦୁଝରରେ ୧୧୯, ବାଲେଶ୍ୱରରେ ୧୦୯, କଟକରେ ୮୨, ସୁନ୍ଦରଗଡ଼ରେ ୮୦, ନବରଙ୍ଗପୁରରେ ୭୨, କୋରାପୁଟରେ ୬୨, କେନ୍ଦ୍ରାପଡ଼ାରେ ୬୧, ଯାଜପୁରରେ ୬୧, ବରଗଡ଼ରେ ୫୮ ଓ ଭଦ୍ରକରେ ୫୧ଜଣ ପ୍ରାଣ ହରାଇଛନ୍ତି ।
୨୦୨୧-୨୨ରେ ଏବେ ସୁଦ୍ଧା (ଏପ୍ରିଲରୁ ଅଗଷ୍ଟ ସୁଦ୍ଧା) ୧୭୮ଜଣଙ୍କ ଜୀବନ ନେଲାଣି ବଜ୍ରପାତ । ୨୦୧୭-୧୮ରେ ବଜ୍ରପାତରେ ୪୭୨ଜଣ ଜୀବନ ହରାଇଥିଲେ । ୨୦୧୮-୧୯ରେ ୩୪୦ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ବଜ୍ରପାତ କାରଣରୁ । ୨୦୧୯-୨୦ରେ ବଜ୍ରପାତ ଯୋଗୁ ୨୭୪ ଜଣ ଅକାଳରେ ମୃତୁ୍ୟବରଣ କରିଥିଲେ ।
ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଏବେ ସୁଦ୍ଧା କେନ୍ଦୁଝରରେ ୧୬ଜଣ, ଗଂଜାମରେ ୧୫, ବାଲେଶ୍ୱରରେ ୧୦, ରାୟଗଡ଼ାରେ ୧୦, କଟକରେ ୧୦ଜଣ ବଜ୍ରପାତ ଯୋଗୁ ଜୀବନ ହରାଇଛନ୍ତି ।
ବଜ୍ରପାତଜନିତ କ୍ଷୟକ୍ଷତି ରୋକିବା ପାଇଁ ସରକାର ଆଗୁଆ ସତର୍କ ସୂଚନା ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଅନ୍ତର୍ଜାତୀୟ ସଂସ୍ଥା ‘ଆର୍ଥ ନେଟୱର୍କସ’ ସହ ରାଜ୍ୟ ସରକାର ଚୁକ୍ତିନାମା କରିଛନ୍ତି । ଏହି ସଂସ୍ଥାର ରାଜ୍ୟରେ ୮ଟି ସହରରେ ଲାଇଟିଂ ଡିଟେକ୍ସନ ସେନ୍ସର ବସାଇଛି । ଏହି ସହରଗୁଡ଼ିକ ହେଲା-ଭୁବନେଶ୍ୱର, କଟକ, ପାଣିକୋଇଲି, କେନ୍ଦୁଝର, ଜୟପୁର, ବ୍ରହ୍ମପୁର, ରାଉରକେଲା ଓ ବଲାଙ୍ଗିର । ଏହି ସେନସର ୨୦୦ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ଅଂଚଳରେ ବଜ୍ରପାତ ସମ୍ଭାବନା ଥିଲେ ଆଗୁଆ ସତର୍କ ସୂଚନା ଦେଇଥାଏ । ଏହା ସହାୟତାରେ ସରକାର ଲୋକଙ୍କୁ ଏସଏସଏମ କରି ଆଗୁଆ ସତର୍କ କରାଉଛନ୍ତି । ହେଲେ ଏହା ଯଥେଷ୍ଟ ନୁହେଁ । ଏବେ ବି ଅନେକ ଅଂଚଳରେ ଲୋକେ ସଚେତନ ହୋଇପାରୁନଥିବାରୁ ବଜ୍ରପାତଜନିତ ମୃତୁ୍ୟ ଘଟୁଛି । ଏ ଦିଗରେ ସରକାର ଆହୁରି ଅଧିକ ସଚେତନତା ପଦକ୍ଷେପ ନେବା ଆବଶ୍ୟକ ରହୁଛି ।




admin 