ଲୁଚୁନି ଚନ୍ନି-ସିଦ୍ଧୁ ଫାଟ, ନିର୍ବାଚନରେ କ’ଣ ରହିବ ପ୍ରଭାବ ଜାଣନ୍ତୁ
ଲୁଚୁନି ଚନ୍ନି-ସିଦ୍ଧୁ ଫାଟ, ନିର୍ବାଚନରେ କ’ଣ ରହିବ ପ୍ରଭାବ ଜାଣନ୍ତୁ
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଫାଟ ଲୁଚୁନି। ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସମସ୍ତ ପଦକ୍ଷେପ ବିଫଳ ହୋଇଛି। ଫଳରେ ଏହାର ପ୍ରଭାବ ଆସନ୍ତା ବିଧାନସଭା ନିର୍ବାଚନରେ ପଡ଼ିବ ବୋଲି ଅନୁମାନ କରାଯାଉଛି। ଯାହା କଂଗ୍ରେସ ମଙ୍ଗୁଆଳଙ୍କ ଚିନ୍ତା ବଢ଼ାଇ ଦେଇଛି।
ଶିରୋମଣି ଅକାଳି ଦଳ ନେତା ଦଲଜିତ୍ ଚିମା କହିଛନ୍ତି, କଂଗ୍ରେସରେ ଚାଲିଥିବା କନ୍ଦଳ ଏହା ପ୍ରମାଣିତ କରି ଦେଉଛି ଯେ ଗତ ୪.୫ ବର୍ଷରେ ସରକାର କିଛି କରି ନାହାନ୍ତି। ପ୍ରଥମ ଦିନରୁ କଂଗ୍ରେସ ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। କିନ୍ତୁ ଦଳର କୌଣସି ନେତା ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ପ୍ରଥମେ ସୁଖଜିନ୍ଦର ସିଂହ ରାନ୍ଧୱା ଓ ସୁନୀଲ ଜାଖରଙ୍କ ନାଁ ସାମ୍ନାକୁ ଆସିଥିଲା। ତା’ପରେ ନବଜୋତ ସିଂହ ସିଦ୍ଧୁଙ୍କ ନାଁ ଆସିଥିଲା। ହେଲେ ଶେଷରେ ଚରଣଜିତ୍ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଶିରୋମଣି ଅକାଳି ଦଳ ଭଳି ବିଜେପି ମଧ୍ୟ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସର ଅନ୍ତଃକନ୍ଦଳରୁ ଫାଇଦା ଉଠାଇବାକୁ ଚାହୁଁଛି। ଦଳର ବରିଷ୍ଠ ନେତା ବିନୀତ ଯୋଶୀ କହିଛନ୍ତି ଯେ ନବଜୋତ ସିଂହ ସିଦ୍ଧୁ ଯେଉଁ ପ୍ରସଙ୍ଗ ସବୁ ଉଠାଉଛନ୍ତି, ସେଗୁଡ଼ିକର ଯଥାର୍ଥତା ରହିଛି। କିନ୍ତୁ ସେ କେବଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ କରୁଛନ୍ତି। ସେହିଭଳି ଆପ୍ ମଧ୍ୟ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ବିବାଦରୁ ନିର୍ବାଚନୀ ଫାଇଦା ଉଠାଇବାକୁ ଯୋଜନା କରୁଛି। କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଆଶଙ୍କା କରୁଛନ୍ତି ଯେ ଦଳ ଭିତରେ ଏମିତି କନ୍ଦଳ ଚାଲିଲେ ତାହା ଭୋଟରଙ୍କ ନିକଟରେ ଏକ ଭୁଲ୍ ବାର୍ତ୍ତା ପହଞ୍ଚାଇବ।




admin 