ରୋଗୀଙ୍କୁ ଠେଙ୍ଗାରେ ପିଟିଲେ ଡାକ୍ତର
ରୋଗୀଙ୍କୁ ଠେଙ୍ଗାରେ ପିଟିଲେ ଡାକ୍ତର
କଳାହାଣ୍ଡି: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କଳାହାଣ୍ଡି ଧର୍ମଗଡ଼ ଡାକ୍ତରଖାନାରେ ରୋଗୀଙ୍କୁ ମାଡ଼ ମାରିଲେ ଡାକ୍ତର। ଡାକ୍ତର ଶୈଳେଶ ଦୋରା ଧର୍ମଗଡ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି। ରାତ୍ରିରେ ସେ ଜଣେ ରୋଗୀଙ୍କୁ ଗୋଡାଇ ଗୋଡାଇ ମାରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଜଣେ ରୋଗୀ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଉପଖଣ୍ଡ ମେଡିକାଲକୁ ଆସିଥିଲେ। ହେଲେ ଡାକ୍ତର ଡିୟୁଟିରେ ନଥିବା ଯୋଗୁଁ ସେ ଡାକ୍ତର କୁଆଡେ ଗଲେ ବୋଲି ପଚରା ଉଚୁରା କରିଥିଲେ । ପରେ ମେଡ଼ିସିନ ଖାଇ ଡାକ୍ତରଖାନାରେ ବସିଥିଲେ ରୋଗୀ। ଅସହ୍ୟ ଯନ୍ତ୍ରଣା ହେଉଥିବାରୁ ରୋଗୀ ଚିତ୍କାର କରୁଥିଲେ । ଏତିକି ବେଳେ ଡାକ୍ତର ତାଙ୍କ ପାଖକୁ ମାଡି ଆସିଥିଲେ । କାହିଁକି ହସ୍ପିଟାଲ ଭିତରେ ପାଟିତୁଣ୍ଡ କରୁଛ କହି ନାଲି ଆଖି ଦେଖାଇଥିଲେ , ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ବଢିଯାଇ ହାତାହାତି ଯାଏଁ କଥା ଯାଇଥିଲା । ଭାଇରାଲ ଭିଡିଓରେ ଡାକ୍ତର ଜଣଙ୍କ ରୋଗୀକୁ ଠୋଙ୍ଗା, ବାଡିରେ ମାରିବା ସହ ବିଧା, ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହାର ପ୍ରତିବାଦରେ ରୋଗୀ ମଧ୍ୟ ଡାକ୍ତରଙ୍କ ଉପରକୁ ହାତ ଉଠାଇଥିଲା ।
ଏହାପରେ ଉଭୟ ଡାକ୍ତର ଓ ରୋଗୀ ଧର୍ମଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରୋଗୀଙ୍କ ସଂପର୍କୀୟମାନେ ରାସ୍ତାରୋକ କରିଥିବା ସୂଚନା ମିଳିଛି ।




admin 