ରାହୁଲ-କେଜ୍ରିୱାଲ ମୁହାଁମୁହିଁ
ରାହୁଲ-କେଜ୍ରିୱାଲ ମୁହାଁମୁହିଁ
admin
Apr 16, 2019 - 11:50
Updated: Apr 16, 2019 - 11:50
ନୂଆଦିଲ୍ଲୀ : ଦିଲ୍ଲୀର ୭ ଲୋକସଭା ଆସନ ପାଇଁ କଂଗ୍ରେସ ଓ ଆପ୍ ମଧ୍ୟରେ କୌଣସି ମେଂଟ ହୋଇପାରିନଥିବା ବେଳେ ଏହାକୁ ନେଇ ଏବେ ଦୁଇ ଦଳର ହାଇକମାଣ୍ଡ ମୁହାଁମୁହିଁ ହୋଇଛନ୍ତି । ଟ୍ୱିଟ୍ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମେଂଟ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଦିଲ୍ଲୀରେ କଂଗ୍ରେସ ଓ ଆପ୍ ମଧ୍ୟରେ ମେଂଟ ହୋଇଥିଲେ, ବିଜେପି ଏଠାରେ ମୂଳପୋଛ ହୋଇଯାଇଥାନ୍ତା । ତେଣୁ ଆମେ ଆପକୁ ୪ଟି ଲୋକସଭା ଆସନ ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲୁ । କିନ୍ତୁ ଆପ୍ ମୁଖ୍ୟ କେଜ୍ରିୱାଲ ଏ ବାବଦରେ କୌଣସି ସହମତି ଦେଲେ ନାହିଁ । କେଜ୍ରିୱାଲ ଆମ ପ୍ରସ୍ତାବ ଶୁଣିବା ପରେ ୟୁ-ଟର୍ଣ୍ଣ ମାରିଥିଲେ । ରାହୁଲଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇ କେଜ୍ରିୱାଲ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ ଆମ ସହ ମେଂଟ ନ କରି କଂଗ୍ରେସ ପରୋକ୍ଷରେ ବିଜେପି ପାଇଁ ରାସ୍ତା ସଫା କରିଦେଇଛି । ଦିଲ୍ଲୀରେ ମୋଦି-ଶାହାଙ୍କୁ ରୋକିବା ପାଇଁ ଆମେ ଯେ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି କେଜ୍ରିୱାଲ କହିବାର ଦିନକ ପରେ ରାହୁଲ ଟ୍ୱିଟ୍ କରି କହିଛନ୍ତି, ମେଂଟ ପାଇଁ ଆମେ ଏର୍ପ୍ୟନ୍ତ ପ୍ରସ୍ତୁତ ଥିଲୁ । କିନ୍ତୁ ଏଥି ପାଇଁ ସମୟ ଗଡିବାରେ ଲାଗିଛି । ଏହାପରେ କେଜ୍ରିୱାଲ କହିଛନ୍ତି, କଂଗ୍ରେସ କେବଳ ଦିଲ୍ଲୀରେ ବିଜେପି ପାଇଁ କାମ କରୁ ନାହିଁ । ବରଂ ଉତର ପ୍ରଦେଶରେ ମଧ୍ୟ ଏହା ବିଜେପିକୁ ସହାୟତା କରୁଛି । କେଜ୍ରିୱାଲଙ୍କ ଟ୍ୱିଟ୍ ପରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପି.ସି ଚାକୋ କହିଛନ୍ତି, ଆପ୍ ଦିଲ୍ଲୀ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ମେଂଟ ଚାହୁଁଥିଲା । ଏଥିପାଇଁ ୧୮ ସିଟରେ ମେଂଟ ହେଉ ବୋଲି ଏହା ଦାବି କରୁଥିଲା । କିନ୍ତୁ ଦିଲ୍ଲୀ ପାଇଁ ଉଦ୍ଦିଷ୍ଟ ମେଂଟ ଫର୍ମୁଲା ଅନ୍ୟ ରାଜ୍ୟରେ ଲାଗୁ ହୋଇପାରିବ ନାହିଁ ।